ଲକ୍ଷ୍ନୌକୁ ଦ୍ବିତୀୟ ସ୍ଥାନରୁ ହଟାଇଲା ରାଜସ୍ଥାନ

ମୁମ୍ବାଇ,ଏଜେନ୍ସି: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ୬୩ ତମ ଲିଗ ମ୍ୟାଚରେ ବିଜୟ ହାସଲ କରି ନେଇଛି ରାଜସ୍ଥାନ ରୟାଲ୍। ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ୨୪ ରନରେ ପରାସ୍ତ କରିଛି ରାଜସ୍ଥାନ। ବିଜୟ ସହ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍ରେ ଏକପ୍ରକାର ସ୍ଥାନ ପକ୍କା କରିଛି ଦଳ। ରାଜସ୍ଥାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଆଉ ଏହା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହେଲା। ଓପନର ଜସ୍‌ ବଟଲର ଓ ଯଶସ୍ବୀ ଜୟଶ୍ବାଲ ପାଳି ଆରମ୍ଭ କରିଥିଲେ। ବଟଲର ବ୍ୟାଟିଂରେ ବିଫଳ ହୋଇଥିଲେ ମାତ୍ର ୨ ରନ କରି ଶୀଘ୍ର ପାଭିଲିୟନ ଫେରିଥିଲେ।

ଏହାପରେ ଅଧିନାୟକ ସଞ୍ଜୁ ସାମସନ ଓ ୟସଶ୍ବୀ ଜୟଶ୍ବାଲ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦ୍ବିତୀୟ ୱିକେଟ ବେଳକୁ ଦଳୀୟ ସ୍କୋର ୭୫ରେ ପହଞ୍ଚିଥିଲା। ଜୈସ୍ବାଲ ୨୯ ବଲ୍‌ରେ ଗୋଟିଏ ଛକା ଓ ୪ଟି ଚୌକା ସହ ସର୍ବାଧିକ ୪୧ ରନ କରିଥିଲେ। ଏହାପରେ ଦେବଦତ୍ତ ପଡିକ୍କଲ ୧୮ ବଲ୍‌ରେ ୨ଟି ଛକା ଓ ୫ଟି ଚୌକା ସହ ୩୯ ରନ୍‌ କରିଛନ୍ତି। କ୍ୟାପଟେନ ସଞ୍ଜୁ ସାମସନ ୨୪ ବଲ୍‌ରେ ୬ଟି ଚୌକା ସହ ୩୨ ରନ କରି ଆଉଟ ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ହରାଇ ମୋଟ ୧୭୮ ରନ କରିଥିଲା। ସୁପରଜିଆଣ୍ଟ୍ସକୁ ୧୭୯ ରନ ବିଜୟ ଲକ୍ଷ୍ୟ ଦେଇଥିଲା ରୟାଲ୍ସ। ସେପଟେ ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ୪ ଓଭର ବୋଲିଂ କରି ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଆଭେଶ ଖାନ, ଜେସନ ହୋଲ୍ଡର, ଆୟୁଷ ବଦୋନି ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

୧୭୯ ବିଜୟ ଲକ୍ଷ୍ୟ ପିଛା କରି ଲକ୍ଷ୍ନୌ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୨୯ ରନରେ ଦଳର ୩ଟି ୱିକେଟ ପତନ ହୋଇଥିଲା। ଓପନର କ୍ବିଣ୍ଟନ ଡି’ କକ ୭, ଅଧିନାୟକ ଲୋକେଶ ରାହୁଲ ୧୦ ଓ ଆୟୁଷ ବଦୋନି ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ। ଦୀପକ ହୁଡା ଓ କୃନାଲ ପାଣ୍ଡ୍ୟା ସତର୍କତାର ସହ ବ୍ୟାଟିଂ କରିଥିଲେ। ଦଳୀୟ ସ୍କୋର ୯୪ର କୃନାଲ ୨୫ ରନ କରି ଆଉଟ ହୋଇଥିଲେ। ପରେ ଦୀପକ ହୁଡା ୩୩ ବଲରେ ୫୯ ରନ କରି ଆଉଟ ହୋଇଥିଲେ।

ଏହାପରେ ଦଳର ପରାଜୟ ନିଶ୍ଚିତ ହୋଇଯାଇଥିଲା। ପରେ ପରେ ଜାସନ ହୋଲ୍ଡର ୧ ଓ ଦୁଷ୍ମନ୍ତ ଚାମୀରା ଖାତା ନଖୋଲି ଆଉଟ ହୋଇଥିଲେ। ଅଲରାଉଣ୍ଡର ମାର୍କସ ଷ୍ଟଇନିସ (୨୭) ଦର୍ଶନୀୟ ସଟ୍‌ ଖେଳିଥିଲେ ହେଲେ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା। ସୁପରଜିଆଣ୍ଟ୍ସର ୮ ୱିକେଟ ହରାଇ ୧୫୪ କରିବାକୁ ସକ୍ଷମ ହୋଇଥିଲା। ୧୩ଟି ମ୍ୟାଚ ଖେଳି ୮ଟି ବିଜୟ ସହ ମୋଟ ୧୬ ପଏଣ୍ଟ ହାସଲ କରି ରାଜସ୍ଥାନ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି।