ଦୀର୍ଘ ଦିନର ନିରବତା ପରେ ପୁଣି ଲାଗିଲା ମାଓ ବ୍ୟାନର, ଜବତ କଲା ଲାଠୋର ପୁଲିସ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବ୍ୟାନର ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇଥିବ ଦେଖିବାକୁ ମିଳିଛି। ଆଜି ଘୁନୁସର ହାଟ ହୋଇଥିବା ବେଳେ ବଜାରକୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବ୍ୟାନର ଦେଖିବାକୁ ପାଇଥିଲେ।

ଏହି ବ୍ୟାନରରେ ଓଡ଼ିଆ ଭାଷାରେ ପୁଲିସ ଦମନ ବିରୋଧରେ ମେ’ ୨୦ ତାରିଖ ଏକ ଦିନ ଓଡିଶା ରାଜ୍ୟ ବନ୍ଦ ସଫଳ କରନ୍ତୁ ବୋଲି ଲେଖାଯାଇଛି। ଏଥିସହ ଗତଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଳିବର୍ଷଣରେ ୨୦ ଜଣ ବିପ୍ଲବିଙ୍କ ହତ୍ୟା କରିବାରେ ରାଜ୍ୟବନ୍ଦକୁ ସଫଳ କରାନ୍ତୁ। ରାଜନୈତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧକୁ ବିରୋଧ କରନ୍ତୁ। ଦେଶରୁ ସମ୍ମତି ଦବାଇବା ଲାଗି ବ୍ରାହ୍ମଣୀୟ, ହିନ୍ଦୁତ୍ଵ, ଫାସିବାଦ ସରକାର ଦ୍ଵାରା ଚାଲଯାଉଥିବା ଦମନ ଅଭିଯାନ ବିରୋଧ କରନ୍ତୁ। କମ୍ରେଡ଼ ରବିନ୍ଦ୍ର, କମ୍ରେଡ଼ ରୋହିତ ଅମର ରହେ, ଲେଖା ହେବା ସହ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ’ ୨୦୨୨ ଲେଖା ହୋଇଥିବା ଦେଖିବାକୁ ମିଳିଛି। ଏହି ମାଓ ବ୍ୟାନର ଲଗାଯାଇଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଛି। ଏ ଘଟଣାର ଖବରପାଇ ପୁଲିସ ବ୍ୟାନର ଦ୍ୱୟକୁ ଜବତ କରିଥିବା ସୂଚନା ମିଳିଛି।