ଜଟଣୀ,ଏନ୍ଏନ୍ଏସ୍: ଗତ କାଲି ଜି ଛିଣ୍ଟି ରାଓଙ୍କ ଅଭିଯୋଗ କ୍ରମେ ଜଟଣୀ ଥାନାରେ ଗୋଟିଏ ହତ୍ୟା ମାମଲା ରୁଜୁ କରାଯାଇଥିଲା। ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବା ସହିତ ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଅଭିଯୁକ୍ତ ଜଣଙ୍କ ହେଉଛି ରାଜସ୍ଥାନର ଜୟପୁର ଅଞ୍ଚଳର ବକ୍ସିଶ ସିଂ ମେହେର (୩୫)।
ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖଠାରୁ ମୃତକ ଜି ଈଶ୍ବର ରାଓ ତାଙ୍କ ଘରୁ ନିଖୋଜ ଥିବାରୁ ଅଭିଯୋଗକାରୀ ବଡଭାଇ ଜି ଛିଣ୍ଟି ରାଓ ଗତକାଲି ଅଭିଯୁକ୍ତ ବକ୍ସିଶ ସିଂ ବିରୋଧରେ ତାଙ୍କ ସନଭାଇଙ୍କୁ ହତ୍ୟା କରିଥିବା ନେଇ ଜଟଣୀ ଅଭିଯୋଗ କରିଥିଲେ। ଜଟଣୀ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ। ଅଭିଯୁକ୍ତ ବକ୍ସିଶ ସିଂଙ୍କୁ ଗିରଫ କରିବା ପରେ ତଦନ୍ତ ପାଇଁ ଥାନାକୁ ଅଣାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ନିଜ ହତ୍ୟା କରିଥିବା ସ୍ଵିକାର କରିଥିବାରୁ ପୁଲିସ ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ଜବତ ମଧ୍ୟ କରିଥିଲେ।
ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତ ଏବଂ ମୃତକ ଉଭୟ ଭଲ ବନ୍ଧୁ ଏବଂ ଘଟଣା ଦିନ ଦୁହେଁ ଜଟଣୀ ଥାନା ଅନ୍ତର୍ଗତ ମିଲ ପୋଖରୀ କୂଳରେ ମଦ ସେବନ କରୁଥିଲେ। ଉକ୍ତ ସମୟରେ ପୂର୍ବର ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାରୁ ଏଥିରେ ବକ୍ସିଶ ସିଂ ରାଗିଯାଇ ଗୋଟିଏ ବ୍ଲେଡ଼ ଓ ଓଜନିଆ ପଥର ସାହାଜ୍ୟରେ ଈଶ୍ବର ରାଓଙ୍କୁ ହତ୍ୟା କରିଥିଲେ। ତଦନ୍ତ ପରେ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି।