ମୋବାଇଲ ଚୋରକୁ ଗିରଫ୍‌ ପରେ କୋର୍ଟ ଚାଲାଣ, ୫ ମୋବାଇଲ ଜବତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି ଶହୀଦନଗର ଥାନା ପୁଲିସ ମୋବାଇଲ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି। ଅଭିଯୁକ୍ତ ଜଣଙ୍କ ହେଉଛି ନୟଗାଡ଼ ଜିଲ୍ଲାର ମନ୍ଧାତାପୁର ଅଞ୍ଚଳର ସୁନିଲ କୁମାର ବେହେରା ଓରଫ୍‌ ସୀତ(୨୯) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଆଜି ଶହୀଦନଗର ଥାନା ପୁଲିସ ଥାନା ପରିସରଭୁକ୍ତ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ଜାଣିବାକୁ ପାଇଥିଲେ ଯେ ଅଭିଯୁକ୍ତ ସୁନିଲ ଆଇଡିବିଆଇ ଛକରେ ଥିବା ଆଇଡିବିଆଇ ବ୍ୟାଙ୍କ ଆଗରେ କିଛି ଚୋରି ମୋବାଇଲ ଫୋନ ନିଜ ହେପାଜତରେ ରଖିଛନ୍ତି ଏବଂ ସେଗୁଡିକୁ ଅତି କମ ମୂଲ୍ୟରେ ରାସ୍ତାରେ ଯିବା ଆସିବା କରୁଥିବା ଲୋକମାନଙ୍କୁ ବିକ୍ରୟ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଖବର ପାଇବା ପରେ ପାଟ୍ରୋଲିଂ ଟିମ୍‌ ତୁରନ୍ତ ଉକ୍ତ ସ୍ଥାନକୁ ଯାଇଥିଲେ ଏବଂ ଅଭିଯୁକ୍ତକୁ କାବୁ କରି ତାଙ୍କ ହେପାଜତରୁ ୫ଟି ମୋବାଇଲ ଫୋନ ଜବତ ମଧ୍ୟ କରିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଉକ୍ତ ମୋବାଇଲ ଫୋନର କୌଣସି ବୈଧ ପ୍ରମାଣପତ୍ର ଦେଖାଇ ନପାରିବା ସହିତ ସେଗୁଡିକ ଚୋରି ଓ ଲୁଟ କରିଥିବା ସ୍ଵିକାର କରିଥିଲା। ପୁଲିସ ଟିମ୍‌ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।