ବିଶ୍ୱ ଧରିତ୍ରୀ ଦିବସ ପାଳିତ

ଘୁ. ଉଦୟଗିରି, ଫୁଲବାଣୀ,ଏନ୍‌ଏନ୍‌ଏସ୍‌: ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ ପଞ୍ଚାୟତରେ ୟୁନିସେଫ, ୟୁଥଫରୱାଟର, ଆକ୍ସନଏଡ୍ ଓ ପ୍ରଦାତ୍ତା ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ଦ୍ୱାରା ଧରିତ୍ରୀ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଯୋଗଦେଇ ଏହି ଦିବସ ପାଳିବା ପଛର ମୂଳ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ । ବିଶ୍ୱ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଳସ୍ତର ହ୍ରାସ, ବୃକ୍ଷ ରୋପଣ, ଜଙ୍ଗଲକୁ ନିଆଁ ଦାଉରୁ ରୋକିବା ଓ ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଉପରେ ଜନ ସଚେତନନା ସୃଷ୍ଟି କରିବା ପାଇଁ ଉପସ୍ଥିତ ସମସ୍ତ ଯୁବଗୋଷ୍ଠୀଙ୍କୁ ଅବଗତ କରାଯାଇଥିଲା । ଏଥିରେ ଏଣେତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲକୁ ଏକ ନିଆରା ଢଙ୍ଗରେ ବ୍ୟବହାର କରାଯିବା ସହ ଏହା ସାହାଯ୍ୟରେ ବିଭିନ୍ନ ଫୁଲ, ସିନେରି, ପନିପରିବା ଓ ଅମ୍ଳଜାନ ଯୋଗାଉଥିବା ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଯାଇଛି । ଉପସ୍ଥିତ ସମସ୍ତ ଯୁବଗୋଷ୍ଠୀ ଗୋଟିଏ ଗୋଟିଏ ପାଣି ବୋତଲ ଆଣି ନିଜ ପାଇଁ ଏକ ଫୁଲ ବା ସିନେରୀ ଗଛ ଲଗାଇ ସମାଜ ପାଇଁ ଏକ ବାର୍ତ୍ତା ଦେଇ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସ୍ଲୋଗାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କିସାନ ପ୍ରଧାନ, ନିହାରିକା ପ୍ରଧାନ, ବିଶ୍ୱଜିତ୍ ପ୍ରଧାନ, ଲିପ୍ତିମୟୀ ପ୍ରଧାନ ଓ ଅମ୍ରିତା ପ୍ରଧାନ ସହଯୋଗ କରିଥିଲେ । ଶେଷରେ ରାଜେଶ୍ ପ୍ରଧାନ ଧନ୍ୟବାଦ ଦେଇଥିଲେ ।