ଆର୍ନ୍ତଜାତୀୟ ବାଘ ଦିବସ: ବାଘ ସମୁଦାୟର ୭୦ ପ୍ରତିଶତ ଭାରତରେ ଅଛନ୍ତି

ନୂଆଦିଲ୍ଲୀ,ଏଜେନ୍ସି: ସାରା ବିଶ୍ୱରେ ୨୯ ଜୁଲାଇ ତଥା ଆଜିକୁ ଆର୍ନ୍ତଜାତୀୟ ବାଘ ଦିବସ ଭାବେ ପାଳନ କରୁଛି। ତେବେ ବିଶ୍ୱରେ ବାଘ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଜଙ୍ଗଲ ସଫା ହେବା ସହିତ ବାଘ ମଧ୍ୟ ବିଲୁପ୍ତ ହେବାରେ ଲାଗିଛି। ତେବେ ବାଘଙ୍କୁ ସୁରକ୍ଷା ଦେବା ପାଇଁ ଆଜି ତଥା ଜୁଲାଇ ୨୯ ତାରିଖରେ ଆର୍ନ୍ତଜାତୀୟ ବାଘ ଦିବସ ପାଳନ କରାଯାଉଛି। ୨୦୧୦ରୁ ଏହି ଦିବସ ପାଳନ ହୋଇଆସୁଛି।

ସୂଚନା ଅନୁସାରେ ୨୯ ଜୁଲାଇ ୨୦୧୦ରେ ଋଷର ସେଣ୍ଟ ପିଟର୍ସବର୍ଗରେ ଏକ ଟାଇଗର ସମିଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବହୁ ଦେଶ ଭାଗ ନେଇଥିବା ବେଳେ ବ୍ୟାଘ୍ର ଚୁକ୍ତିରେ ହସ୍ତାକ୍ଷର କରିଥିଲେ। ବିଶ୍ୱ ସ୍ତରରେ ବାଘଙ୍କ ସଂଖ୍ୟା ହ୍ରାସ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ବାଘ ସୁରକ୍ଷା ନେଇ ଚୁକ୍ତି ହୋଇଥିଲା। ଏଥିସହ ବୈଠକରେ ଭାଗ ନେଇଥିବା ଦେଶ ପକ୍ଷରୁ ୨୦୨୨ ସୁଦ୍ଧା ବାଘ ସଂଖ୍ୟା ୨ ଗୁଣା ହେବ ବୋଲି କହିଥିଲେ।

ଏହି ବାଘ ଦିବସ ଭାରତ ପାଇଁ ବେଶ୍ ସ୍ୱତନ୍ତ୍ର ଅଟେ। ସମଗ୍ର ବିଶ୍ୱର ବାଘ ସଂଖ୍ୟାର ୭୦ ପ୍ରତିଶତ ବାଘ ଭାରତରେ ଅଛନ୍ତି। ଟାଇଗର ରିଜର୍ଭ ଓ ପରିବେଶ ବିଭାଗର ପ୍ରଚେଷ୍ଟାରେ ଭାରତ ୨୦୨୨ ପୂର୍ବରୁ ଲକ୍ଷ ହାସଲ କରି ବାଘ ସଂଖ୍ୟାକୁ ୨ ଗୁଣା କରିପାରିଛି। ୨୦୧୦ରେ ଭାରତରେ ୧୭୦୦ ବାଘ ଥିବା ବେଳେ ୨୦୧୮ ଗଣନା ଅନୁସାରେ ଦେଶରେ ବାଘ ସଂଖ୍ୟା ୨୯୬୭ ହୋଇଥିଲା। ସେହିପରି ଭାରତର ୧୮ଟି ରାଜ୍ୟରେ ୫୧ଟି ବାଘ ଅଭୟାରଣ୍ୟ ରହିଛି। ସେହିପରି ବିଶ୍ୱ ବନ୍ୟଜନ୍ତୁ ପାଣ୍ଠି ଅନୁସାରେ ବିଶ୍ୱରେ ବର୍ତ୍ତମାନ ୩୯୦୦ ବାଘ ରହିଛନ୍ତି।