ଆର୍ନ୍ତଜାତୀୟ ବ୍ରାଉନସୁଗର ମାଫିଆ ସେକ୍ ରାଜାର ଦୁଇ ସହଯୋଗୀ ଗିରଫ

ବାଲେଶ୍ୱର,ଏନଏନଏସ୍: ଆର୍ନ୍ତଜାତୀୟ ବ୍ରାଉନସୁଗାର ମାଫିଆ ତଥା ବାଲେଶ୍ୱର ସହଦେବଖୁଂଟା ଥାନା ଅର୍ନ୍ତଗତ ଅରଡବଜାର ଅଂଚଳର ସେକ ରାଜାକୁ ଏସଟିଏଫ ଟିମ ଗିରଫ କରିଥିବା ବେଳେ ଏସଟିଏଫର କେସ ନମ୍ବର୧୨ରେ ତାର ଦୁଇ ଜଣ ସହଯୋଗୀଙ୍କୁ ପୁଣି ଏସଟିଏଫ ଟିମ ବାଲେଶ୍ୱରରେ ଚଢ଼ାଉ କରି ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ,ବାଲେଶ୍ୱର ସହଦେବଖୁଂଟା ଥାନା ଅର୍ନ୍ତଗତ ଅରଡବଜାର ଅଂଚଳର ମସଜିଦ ଗଳିର ବାଇଧର ବେହେରାଙ୍କ ପୁଅ ବସନ୍ତ ବେହେରା (୩୦) ଏବଂ ଟାଉନ ଥାନା ଅର୍ନ୍ତଗତ ସୁନହଟ ଅଂଚଳର ସ୍ୱାତିକ କୁମାର ଦାସଙ୍କ ପୁଅ ନିଳାଦ୍ରୀ ଦାସ(୨୬)।

ଏହି ଦୁଇ ଜଣ ରାଜାର ଭେଟରାନ ଡ୍ରଗ ସପ୍ଲାଏ ଭାବେ କାର୍ଯ୍ୟ କରୁଥିବା ନେଇ ଏସଟିଏଫ କହିଥିବା ବେଳେ ଚଢ଼ାଉ ବେଳେ ଏହି ଟିମ ସେମାନଙ୍କ ଠାରୁ ଦୁଇଟି ବୁଲଟେ ଏବଂ ଗୋଟିଏ ସ୍କୁଟି ଏବଂ ତିନୋଟି ମୋବାଇଲକୁ ମଧ୍ୟ ଜବତ କରିଛି। ଏନେଇ ଏସଟିଏଫ ଟିମ ସେମାନଙ୍କୁ ସାଙ୍ଗରେ ନେଇ ପଚରା ଉଚରା କରିବା ପରେ ସୋମବାର ତାଙ୍କୁ ଖୋର୍ଦ୍ଦା ଜିଲ୍ଲା ସ୍ଥିତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜିର କରାଇଛି।

ସୂଚନା ଅନୁସାରେ,ଗତ ଜୁଲାଇ ମାସ ୧୫ତାରିଖରେ ବାଲେଶ୍ୱରର କିଛି ବ୍ରାଉନସୁଗାର ବେପାରୀ ବାଲେଶ୍ୱରରୁ ଖୋର୍ଦ୍ଧାକୁ ବ୍ରାଉନସୁଗାର ଚଲାଣ କରୁଥିବା ବେଳେ ଏସଟିଏଫ ଟିମ ଚଢ଼ାଉ କରି ୧୩୦ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଗୋଟିଏ କାର ଏବଂ ୩ଜଣ ବେପାରୀଙ୍କୁ ଗିରଫ କରିଥିଲା। ଏହାର ତଦନ୍ତ ସମୟରେ ଏହି ବ୍ରାଉନସୁଗାର କାରବାର ପଛରେ ରାଜାର ହାତ ଥିବା ଜାଣିବାକୁ ପାଇଥିଲା। ତେବେ ଗତ ସେପ୍ଟେମ୍ବର ମାସରେ ଏସଟିଏଫ ଟିମ ଗିରଫ କରିଥିଲା। ଏହାସହ ତା ଠାରୁ ବନ୍ଧୁକ ଏବଂ ଗୁଳି ମଧ୍ୟ ଜବତ କରିଥିଲା। ପରେ ଏସଟିଏଫ ଟିମ ରାଜାକୁ ବାଲେଶ୍ୱର ଆଣି ତାର ସମ୍ପତି ଉପରେ ତଦନ୍ତ କରିବା ପରେ ତା ନିକଟରେ ୧କୋଟି ୬୮ଲକ୍ଷ ଟଙ୍କାର ସମ୍ପତି ଥିବା ଜାଣିବାକୁ ପାଇଥିବା ବେଳେ ଏକ ଫ୍ଲାଟକୁ ମଧ୍ୟ ସିଲ କରିଥିଲା।