ବର୍ଷ ଶେଷ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଜିଲ୍ଲା, ବିଭାଗୀୟ ମୁଖ୍ୟ ଓ ରାଜ୍ୟସ୍ତରୀୟ ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ବିଭାଗରେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ପଦୋନ୍ନତି ପ୍ରକ୍ରିୟା ଡିସେମ୍ବର ୩୧ ସୁଦ୍ଧା ଶେଷ କରାଯିବ। ଜାନୁଆରୀ ପହିଲା ସୁଦ୍ଧା ପଦୋନ୍ନତି ଯୋଗ୍ୟ ସମସ୍ତ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ପଦୋନ୍ନତି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କରେ ଅନୁପାଳନ, ମୁଖ୍ୟ ସଚିବଙ୍କ ନିକଟକୁ ପ୍ରେରଣ କରିବା ପାଇଁ ସମସ୍ତ ବିଭାଗ ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଦୋନ୍ନତି କ୍ଷେତ୍ରରେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ କ୍ଷେତ୍ରରେ ହେଉଥିବା ଅଯଥା ବିଳମ୍ବ, ହଇରାଣ ହରକତ ତଥା ଅସାଧୁ ଉପାୟ ଅବଲମ୍ବନ ହେଉଥିବା ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ସ୍ୱଚ୍ଛତାର ସହ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଉ ବୋଲି ଆଗ୍ରହ ପ୍ରକାଶ କରିଛନ୍ତି।

ପଦୋନ୍ନତି ଅପେକ୍ଷାରେ ଥିବା କୌଣସି ଯୋଗ୍ୟ ଅଧିକାରୀ/କର୍ମଚାରୀ ଯେପରି ନିଜ ପଦୋନ୍ନତି ପାଇଁ ନ ଧାଇଁବେ ସେଥିପାଇଁ ପ୍ରଚଳିତ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଶୃଙ୍ଖଳା ଅଣାଯିବା ପାଇଁ ପରାମର୍ଶ ଦେବା ସହିତ ଅହେତୁକ ବିଳମ୍ବ କ୍ଷେତ୍ରରେ ସମ୍ପୃକ୍ତ ମୁଖ୍ୟମାନଙ୍କୁ ଦାୟୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୫ଟି ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଦାୟିତ୍ୱ ନିର୍ବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ଏଚଆରଏମଏସ ସୁବିଧା ଥାଇ ପଦୋନ୍ନତି ଦେବା କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଥିବାରୁ ଆବଶ୍ୟକ ସ୍ଥଳେ ଏତିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଠିକ୍ ସମୟରେ ପଦୋନ୍ନତି ଦିଆଗଲେ ଟିମ୍ ୱାର୍କପାଇଁ କର୍ମଚାରୀ ଉତ୍ସାହିତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।