ଆନ୍ତଜିଲ୍ଲା ସାଇବର ଠକକୁ ଗିରଫ କଲା ପୁଲିସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆନ୍ତଜିଲ୍ଲା ସାଇବର ଠକକୁ ଝାରସୁଗୁଡ଼ା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ନୟାଗଡ଼ ଜିଲ୍ଲାର ସୁନିଲ ରାଉତରାୟ ଓରଫ କାର୍ତିକ(୩୩) ବୋଲି ଜଣାପଡ଼ିଛି। ପୁଲିସ କାର୍ତିକକୁ ଗିରଫ କରିବା ସହ ତା’ଠାରୁ ୨୮ଟି ସିମ କାର୍ଡ, ୧୧ଟି ମୋବାଇଲ ଫୋନ, ୧୪ଟି ଏଟିଏମ କାର୍ଡ, ୧୫ଟି ବିଭିନ୍ନ ବ୍ୟାଙ୍କର ଚେକ ବୁକ ଓ ୩ଟି ପାସବୁକ ଜବତ କରିଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ସୁନିଲ ରାଜ୍ୟର ବିଭିନ୍ନ ସ୍ଥାନରେ ନିରୀହ ଲୋକଙ୍କଠାରୁ ଠକେଇ କରୁଥିଲା। ତେବେ ସେ ଗତ ମେ’ ମାସରେ ଝାରସୁଗୁଡ଼ାର ଜଣେ ହୋମିଓପାଥୀ ଡାକ୍ତର ଡି ଶର୍ମାଙ୍କଠାରୁ ୧୦ ହଜାର ଟଙ୍କା ଠକିଥିଲା। ଶ୍ରୀ ଶର୍ମାଙ୍କୁ ଫୋନ କରି  ସୁନିଲ ନିଜକୁ ତାଙ୍କର ଏକ ବନ୍ଧୁର ପରିଚୟ ଦେଇ ୧୦ ହଜାର ଟଙ୍କା ଗୁଗୁଲ ପେରେ ମାଗିବା ସହ ଫେରସ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା। ସୁନିଲ କଥାରେ ରାଜି ହୋଇ ଶ୍ରୀ ଶର୍ମା ଟଙ୍କା ପଠାଇବା ପରେ ସୁନିଲ ତାର ଫୋନ ସୁଇଚ ଅଫ କରି ଦେଇଥିଲା। ଏନେଇ ଶ୍ରୀ ଶର୍ମା ଝାରସୁଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରି ସୁନିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଧିକ ତଦନ୍ତ ପାଇଁ ପୁଲିସ ପକ୍ଷରୁ ସୁନିଲର ରିମାଣ୍ଡ ଆବେଦନ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।  ସୁନିଲ ବିରୋଧରେ ଝାରସୁଗୁଡ଼ା ତଥା ବିଭିିନ୍ନ ଜିଲ୍ଲାର ୧୧ଟି ଥାନାରେ ଠକେଇ ମାମଲା ରହିଥିବା ପୁଲିସ ପ୍ରକାଶ କରିଛି। ଅନ୍ୟପଟେ ଲକଡାଉନ ଯୋଗୁ କାମ ଧନ୍ଦା ନପାଇ ସାଇବର ଠକେଇର ପନ୍ଥା ଆପଣେଇଥିବା ଅଭିଯୁକ୍ତ ସୁନିଲ ପ୍ରକାଶ କରିଛି।