ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ କ୍ୱାର୍ଟର୍‌ରେ ସିନ୍ଧୁ

ହୁଏଭା,ଏଜେନ୍ସି: ଭାରତର ପ୍ରମୁଖ ମହିଳା ଶଟଲର୍ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ପିଭି ସିନ୍ଧୁ ଗୁରୁବାର ଥାଇଲାଣ୍ଡର ପୋର୍ନପାୱି ଚୋଚୁୱାଙ୍ଗ୍‌ଙ୍କୁ ହରାଇ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ବିଶ୍ୱର ନଂ୭ ସିନ୍ଧୁ ନଂ୧୦ ପୋର୍ନପାୱିଙ୍କୁ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ୨୧-୧୪, ୨୧-୧୮ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ୍ ୪୮ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ବିଜୟ ଫଳରେ ଷଷ୍ଠ ସିଡ୍ ସିନ୍ଧୁ ଏଯି ଟୁର୍ଣ୍ଣାମେଣ୍ଟ୍‌ରେ ପୋର୍ନପାୱିଙ୍କ ବିପକ୍ଷରେ ବିଜୟ ରେକର୍ଡକୁ ୫-୩ରେ ପହଞ୍ଚାଇଛନ୍ତି।

ଏହା ସହିତ ସିନ୍ଧୁ ଚଳିତ ମାସ ପ୍ରାରମ୍ଭରେ ଅନୁଷ୍ଠିତ ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ ଗ୍ରୁପ୍ ମ୍ୟାଚ୍ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ଅଲ୍ ଇଂଲଣ୍ଡ ଚାମ୍ପିଅନ୍‌ଶିପ୍ ପରାଜୟର ପ୍ରତିଶୋଧ ନେଇଛନ୍ତି। ଦୁଇଟି ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ କ୍ୱାର୍ଟର୍ ଫାଇନାଲ୍‌ରେ ଟପ୍ ସିଡ୍ ତଥା ବିଶ୍ୱ ନଂ୧ ଚୀନା ତାଇପେଇର ତାଇ ଜୁ ୟିଙ୍ଗ୍‌ଙ୍କ ଭେଟିବେ। ତାଇ ଜୁ ଅନ୍ୟ ଏକ ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ସ୍କଟ୍‌ଲାଣ୍ଡର କ୍ରିଷ୍ଟି ଗିଲ୍‌ମୋର୍‌ଙ୍କୁ ୨୧-୧୦, ୧୯-୨୧, ୨୧-୧୧ରେ ହରାଇ ଦେଇଛନ୍ତି।