ଭୁବନେଶ୍ୱର,ଏନ୍ଏନ୍ଏସ୍: ନବନିଯୁକ୍ତ ୬୧୩୧ ଜଣ ହାଇସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁମନ୍ତ୍ର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ୨୨୩୬ କଳା, ୧୭୭୯ ବିଜ୍ଞାନ, ୮୨୯ ହିନ୍ଦୀ, ୭୯୬ ସଂସ୍କୃତ ଓ ୩ ତେଲୁଗୁ ଶିକ୍ଷକ ଅଛନ୍ତି। ରାଜ୍ୟ ନିଯୁକ୍ତି ଇତିହାସରେ ଏହା ଏକ ସର୍ବକାଳୀନ ରେକର୍ଡ।
ଗୁରୁବାର କଳିଙ୍ଗ ଷ୍ଟାଡିଅମ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କହିଛନ୍ତି ଯେ ଓଡ଼ିିଶା ଗଠନ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ରାଜ୍ୟର ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସବୁ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ବି ଶେଷ ହୋଇଯାଇଛି। ଏବେ ଉନ୍ନତ ଶିକ୍ଷା ପାଇଁ ମାତ୍ର ୪୭ ଦିନ ମଧ୍ୟରେ ୬୧୩୧ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟର ଶିକ୍ଷା ଇତିହାସରେ ଆଜିର ଦିନଟି ସବୁବେଳେ ସ୍ମରଣୀୟ ହୋଇରହିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ହେଉଛି ସମାଜର ସାମୁହିକ ଆଶା ଓ ଆକାଂକ୍ଷାର ପ୍ରତିଫଳନ। ଶିକ୍ଷା ବ୍ୟବସ୍ଥାର ଆତ୍ମା ଭାବରେ ଶିକ୍ଷକଙ୍କୁ ଅଭିହିତ କରି ଆମର ଭବିଷ୍ୟତ ପିଢ଼ି ତଥା ନୂଆ ଓଡ଼ିଶା ଗଠନ ପାଇଁ ଆରମ୍ଭ ହୋଇଥିବା ଏହି ରୂପାନ୍ତରରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସଫଳ ସହଯୋଗୀ ଭାବରେ ତାଙ୍କର ଦାୟିତ୍ୱ ତୁଲାଇବାକୁ ହେବ। କାରଣ ପିଲାମାନେ ହେଉଛନ୍ତି ଅନନ୍ତ ସମ୍ଭାବନାର ପ୍ରତୀକ। ସେମାନଙ୍କ ମଧ୍ୟରେ ନୂଆ ଆଶା ଜାଗ୍ରତ କରିବା, ସେମାନଙ୍କର କଳ୍ପନାକୁ ଶକ୍ତି ଦେବା ଓ ଅଧ୍ୟୟନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଶିକ୍ଷକମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।
ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନୀଶକ୍ତିର ବିକାଶ ତଥା ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ଶିକ୍ଷକମାନେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କାଲାମ୍ଙ୍କ ବକ୍ତବ୍ୟକୁ ଉଦ୍ଧୃତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସମାଜରେ ଶିକ୍ଷକଙ୍କର ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ, ପୃଥିବୀରେ ଅନ୍ୟ କୌଣସି ବୃତ୍ତି ସେଭଳି ଗୁରୁତ୍ୱ ବହନ କରେ ନାହିଁ। ତେଣୁ ଶିକ୍ଷକତା ପରି ଏକ ମହାନ ବୃତ୍ତିକୁ ଆପଣେଇ ଥିବାରୁ ନବନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀମାନେ ଅଭିନନ୍ଦନୀୟ।
ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ରୂପାନ୍ତର ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍କୁଲର ଭିତ୍ତିଭୂମିର ରୂପାନ୍ତର କରାଯାଇ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ଆଧୁନିକ ପରୀକ୍ଷାଗାର, ଉନ୍ନତ ପରିମଳ ବ୍ୟବସ୍ଥା, ଖେଳପଡ଼ିଆ ତଥା ସ୍କୁଲର ପରିବେଶକୁ ଶିକ୍ଷା ଅନୁକୂଳ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି। ଏପର୍ଯ୍ୟନ୍ତ ୧୦୭୫ଟି ସ୍କୁଲର ରୂପାନ୍ତରଣ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ରୂପାନ୍ତର କରାଯିବ। ଶିକ୍ଷା ବ୍ୟବସ୍ଥାରେ ଡିଜିଟାଲ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ। ଏଥିପାଇଁ ଶିକ୍ଷକଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ଦରକାର। ନୂତନ ଶିକ୍ଷା ପରିବେଶରେ ପିଲାଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର ରୂପ ଦେବାପାଇଁ ସବୁପ୍ରକାର ସୁଯୋଗ ଦିଆଯାଇଛି। ଶିକ୍ଷାଦାନ ନେଇ ପ୍ରତି ଶିକ୍ଷକଙ୍କର ପ୍ରତିବଦ୍ଧତା, ପିଲାଙ୍କୁ ପ୍ରେରଣା ହିଁ ସେମାନଙ୍କୁ ସଫଳତାର ସିଡ଼ି ଚଢ଼ିବାରେ ସକ୍ଷମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।
କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମୀର ଦାଶ ପ୍ରମୁଖ ଯୋଗଦେଇ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର ହିଁ ନୂଆ ଓଡ଼ିଶାର ସ୍ୱପ୍ନ ସାକାର କରିବ ବୋଲି ମତ ଦେଇଥିଲେ।