ଲଗାତାର ଚତୁର୍ଥଥର ପାଇଁ ଇନ୍ଦୋର ସବୁଠୁ ସ୍ୱଚ୍ଛ: ଓଡ଼ିଶାକୁ ୨ ପୁରସ୍କାର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋର ସହର ଲଗାତର ଚତୁର୍ଥଥର ପାଇଁ ଦେଶର ସବୁଠୁ ସ୍ୱଚ୍ଛ ସହରର ମାନ୍ୟତା ପାଇଛି। ଇନ୍ଦୋର କ୍ରମାଗତ ଭାବେ ୨୦୧୭, ୨୦୧୮, ୨୦୧୯ ଓ ୨୦୨୦ ବର୍ଷ ପାଇଁ ଏହି ସଫଳତା ହାତେଇଛି। ଅନ୍ୟପଟେ  ଗୁଜୁରାଟର ସୁରଟ ସହର ଦ୍ୱିତୀୟ ଓ ମହାରାଷ୍ଟ୍ରର ନବୀ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି। କେନ୍ଦ୍ରୀୟ ଆବାସ ଓ ସହରୀ ମନ୍ତ୍ରଣାଳୟ ତରଫରୁ ଏହି ତାଲିକା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦’ର ପରିଣାମ ଘୋଷଣା କରିଛନ୍ତି। ଏହି ଅବସରରେ ସ୍ୱଚ୍ଛତା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ସହରକୁ ପୁରସ୍କୃତ କରାଯାଇଥିବା ଜଣାପଡ଼ିଛି।

ଖାସ୍ କଥାଟି ହେଲା, ଏହି ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ଏଥିରେ ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହେବାସହ ମିଡିୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ବିବେଚିତ ହୋଇଛି।

କେନ୍ଦ୍ରୀୟ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ସ୍ୱଚ୍ଛତାକୁ ନେଇ ଇନ୍ଦୋର ଓ ସେଠାକାର ଲୋକଙ୍କର ସମର୍ପଣ ଭାବ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ପୁରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ସହରର ଜନତା ଓ ଇନ୍ଦୋର ନଗର ନିଗମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।