ନୂଆଦିଲ୍ଲୀ,ଏଜେନ୍ସି: ଆଜି ଠାରୁ ଭାରତ-ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ୧୫ ତମ ସୈନ୍ୟ ଅଭ୍ୟାସ ‘ସୂର୍ଯ୍ୟ କିରଣ’ ଆରମ୍ଭ ହୋଇଛି। ଉତ୍ତରାଖଣ୍ଡ (ପିଥୋରାଗଢ) ଠାରେ ଚାଲୁଥିବା ଏହି ସୈନ୍ୟ ଅଭ୍ୟାସ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଶିକ୍ଷଣ ଶିବିରରେ ଉଭୟ ଦେଶର ସୈନ୍ୟ ସ୍ତରରେ ଆତଙ୍କବାଦ ମୁକାବିଲା, ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେନାର ଭୂମିକା, ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ ନେଇ ବିଭିନ୍ନ ତାଲିମ ସହ ଆଲୋଚନା ହେବ।
ଅଭ୍ୟାସ କାର୍ଯ୍ୟକ୍ରମରେ ଉଭୟ ଦେଶର ‘ଇନଫେଣ୍ଟ୍ରି ବାଟାଲିୟନ’ ସାମିଲ ହୋଇଥିବାବେଳେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଓ ଏହାର ପରିଚାଳନା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରିବେ। ଏତଦ୍ ବ୍ୟତୀତ ପାର୍ବତ୍ୟ ଯୁଦ୍ଧ ରଣନୀତି କରିବେ ସ୍ଥିର। ଖାଲି ଏତିକି ନୁହେଁ ଉଭୟ ଦେଶର ସେନା ଅଭ୍ୟାସ ବେଳେ ମାନବିକତା ସହାୟତା, ଜଙ୍ଗଲ ଯୁଦ୍ଧ, ନୂଆ ନୂଆ ଆହ୍ୱାନକୁ ନେଇ ସୃଷ୍ଟି ହେଉଥିବା ଚ୍ୟାଲେଞ୍ଜ ଓ ଉଚ୍ଚ ଭୂମିରେ ଯୁଦ୍ଧ ଅଭ୍ୟାସ କରିବେ।
ଏହି ଅଭ୍ୟାସ ବେଳେ କଠିନ ୪୮ ଘଣ୍ଟିଆ ଯୁଦ୍ଧାଭ୍ୟାସ ମଧ୍ୟ ଅଛି। ସୂଚନାଯୋଗ୍ୟ ଯେ, ଭାରତ-ନେପାଳ ମଧ୍ୟରେ ସାଂସ୍କୃତିକ, ସାମାଜିକ, ଧାର୍ମିକ ମଧ୍ୟରେ ସମାନତା ରହିଆସିଥିବାବେଳେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତି ନିବିଡ ରହିଆସିଛି।