ଭାରତ-ଚୀନ୍ ସୀମା ଆଲୋଚନା ନିଷ୍ଫଳ

ନୂଆଦିଲ୍ଲୀ,ଏଜେନ୍ସି: ବୁଧବାର ଭାରତ ଓ ଚୀନ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୪ଶ ରାଉଣ୍ଡ କମାଣ୍ଡରସ୍ତରୀୟ ସୀମା ଆଲୋଚନା ନିଷ୍ଫଳ ହୋଇଥିବା ଜଣାପଡିଛି। ଆଲୋଚନାପରେ ଉଭୟପକ୍ଷରୁ ମିଳିତ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆପୋଷ ସମାଧାନ ପାଇଁ ଉଭୟ ସେନା ପରସ୍ପର ସହ ଯୋଗାଯୋଗରେ ରହିବାକୁ ସମ୍ମତି ପ୍ରକାଶ ପାଇଛି। ଭାରତୀୟ ସୀମାର ଚୁସୁଲଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଲେହ୍‌ସ୍ଥିତ ୧୪ କର୍ପସ୍ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିବାବେଳେ ଚୀନ୍ ପକ୍ଷରୁ ସାଉଥ୍ ସିନ୍‌ଜିଆଙ୍ଗ୍ ମିଲିଟାରୀ ଡିଷ୍ଟ୍ରିକ୍ଟ ମୁଖ୍ୟ ମେଜର ଜେନେରାଲ ୟାଙ୍ଗ୍ ଲିନ୍ ନେତୃତ୍ୱ ନେଇଥିଲେ।

ଉକ୍ତ ବୈଠକରେ ଭାରତ ଓ ଚୀନ୍ ବିଦେଶ ମନ୍ତ୍ରଣାଳୟର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ। ଲଦାଖ ସେକ୍ଟରରେ ଉତ୍ତେଜନା ହ୍ରାସ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ତେବେ ହଟ୍ ସ୍ପ୍ରିଙ୍ଗ୍‌ସ, ଡେମ୍‌ଚୋକ୍ ଓ ଡେସ୍‌ପାଙ୍ଗ୍ ଅଞ୍ଚଳରୁ ଚୀନ୍ ତାହାର ସୈନ୍ୟ ଓ ଯୁଦ୍ଧାସ୍ତ୍ର ପ୍ରତ୍ୟାହାର କରୁ ବୋଲି ଭାରତ ଯେଉଁ ଦାବି ଉପସ୍ଥାପନ କରିଥିଲା, ତାହା ଅଗ୍ରାହ୍ୟ ହୋଇଥିବା କୁହାଯାଇଛି। ଆଗାମୀ ଦିନରେ ଏ ପ୍ରସଙ୍ଗରେ ୧୫ଶ ରାଉଣ୍ଡ ଆଲୋଚନା କରିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି।