ନୂଆଦିଲ୍ଲୀ,ଏଜେନ୍ସି: ଦେଶବ୍ୟାପୀ ଚଳିତ ମାସ ୨୫ ତାରିଖ ଠାରୁ ବିମାନ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି। ଏହାରି ମଧ୍ୟରେ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଣମାଧ୍ୟମକୁ ଇଣ୍ଡିଗୋ ଏହା ଜଣାଇଛି। କମ୍ପାନୀ ତରଫରୁ ଜାରି ଏକ ବୟାନରେ କୁହାଯାଇଛି ଯେ, କୋଏମ୍ବାଟୁର ବିମାନବନ୍ଦରରେ ଡାକ୍ତରମାନେ ଏହା ସ୍ପଷ୍ଟ କରିଛନ୍ତି। ଜଣେ ଯାତ୍ରୀ ୨୫ ତାରିଖ ସନ୍ଧ୍ୟାରେ ଚେନ୍ନାଇରୁ କୋଏମ୍ବାଟୁର ଆସିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।
କରୋନା ପଜିଟିଭ ଯାତ୍ରୀଙ୍କୁ କୋଏମ୍ବାଟୁରସ୍ଥିତ ଇଏସଆଇ ରାଜ୍ୟ ଚିକିତ୍ସା ସୁବିଧା କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେ ଅନ୍ୟ ଯାତ୍ରୀଙ୍କ ଭଳି ବିମାନରେ ବସିଥିଲେ। ମାସ୍କ, ଫେଓ ଶିଲ୍ଡ ମଧ୍ୟ ପିନ୍ଧିଥିଲେ। କମ୍ପାନୀ କହିଛି, ସଂପୃକ୍ତ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସହିତ ଆଉ କେହି ବସି ନଥିଲେ। ଆମର କମ୍ପାନୀ କୋଭିଡ-୧୯ ଗାଇଡଲାଇନ ଅନୁସାରେ ପରିଚାଳିତ ହେଉଛି। ବିମାନର ପାଇଲଟ ଓ କେବିନ କ୍ରୁ ମେମ୍ବରଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି।