ପ୍ରଥମ ଟେଷ୍ଟ୍‌: ଶହେତମ ମ୍ୟାଚ୍‌ରେ କୋହଲି ୪୫ ରନ୍‌ରେ ଆଉଟ୍‌, ହନୁମାଙ୍କ ଅର୍ଦ୍ଧଶତକ

ପନ୍ତ୍ ପାୱାର: ଭାରତ ୩୫୭/୬

ମୋହାଲି,ଏଜେନ୍ସି: ଶୁକ୍ରବାରଠାରୁ ଏଠାରେ ଶ୍ରୀଲଙ୍କା ଓ ଭାରତ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଘରୋଇ ଦଳ ଟସ୍ ଜିତି ୮୫ ଓଭର୍‌ରେ ୬ ୱିକେଟ୍ ବିନିମୟରେ ୩୫୭ ରନ୍‌ର ଦୃଢ଼ ସ୍କୋର୍ କରିଛି। ଶହେତମ ଟେଷ୍ଟ୍ ଖେଳୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି ୪୫ ରନ୍ କରିଥିବା ବେଳେ ଏହି ମ୍ୟାଚ୍‌ରେ ୱିକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ ତାଙ୍କ ପାୱାର୍ ଦେଖାଇଛନ୍ତି। ସେ ମାତ୍ର ୯୭ଟି ବଲ୍‌ର ସମ୍ମୁଖୀନ ହୋଇ ୯ଟି ଚୌକା ଓ ୪ଟି ଛକା ଜରିଆରେ ୯୬ ରନ୍ କରିବା ଫଳରେ ଭାରତ ପ୍ରଥମ ଦିନରେ ବେଶ୍ ମଜଭୁତ ସ୍ଥିତିରେ ରହିଛି। ପନ୍ତଙ୍କ ବ୍ୟତୀତ ହନୁମା ବିହାରୀ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତା’ଛଡ଼ା ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ୪୫ ରନ୍ କରି ଅପରାଜିତ ଅଛନ୍ତି।

ଅଧିନାୟକ ଭାବେ ଟେଷ୍ଟ୍‌ରେ କ୍ୟାରିୟର୍ ଆରମ୍ଭ କରିଥିବା ଓପନର ରୋହିତ ଶର୍ମା ତାଙ୍କ ଯୋଡ଼ିଦାର ମୟଙ୍କ ଅଗରୱାଲ୍‌ଙ୍କ ସହ ବ୍ୟାଟିଂ ଆରମ୍ଭ କରି ୫୨ ରନ୍ ଯୋଡ଼ିଥିଲେ। ତେବେ ୬ଟି ଚୌକା ସହ ୨୯ ରନ୍ କରିଥିବା ସମୟରେ ଲାହିରୁ କୁମାରାଙ୍କ ବଲ୍‌ରେ ପୁଲ୍ ଶଟ୍ ଖେଳିବାକୁ ଯାଇ ରୋହିତ ସୁରଙ୍ଗା ଲକମଲ୍‌ଙ୍କ ହାତରେ ଧରାପଡ଼ିଥିଲେ। ପରେ ମୟଙ୍କ ୫ଟି ଚୌକା ସହ ୩୩ ରନ୍ କରି ଆଉଟ୍ ହୋଇଥିଲେ। ମଧ୍ୟାହ୍ନଭୋଜନ ବିରତି ପର୍ଯ୍ୟନ୍ତ ବିହାରୀ ଓ କୋହଲି ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। କିନ୍ତୁ ଚା’ ପାନ ବିରତିର କିଛି ସମୟ ପୂର୍ବରୁ କୋହଲି ୫ଟି ଚୌକା ସହ ୪୫ ରନ୍ କରି ଆଉଟ୍ ହେବା ଫଳରେ ୯୦ ରନ୍‌ର ଭାଗୀଦାରୀରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ତାଙ୍କ ପଛେ ପଛେ ବିହାରୀ ମଧ୍ୟ ୫ଟି ଚୌକା ସହ ୫୮ ରନ୍ କରି ବିଦାୟ ନେଇଥିଲେ। ପନ୍ତ୍ ତାଙ୍କ ଚିରାଚରିତ ଢଙ୍ଗରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଶ୍ରେୟସ ଆୟର୍‌ଙ୍କ ସହ ପଞ୍ଚମ ୱିକେଟ୍‌ରେ ୫୩ ଓ ଜାଡେଜାଙ୍କ ସହ ଷଷ୍ଠ ୱିକେଟ୍‌ରେ ୧୦୪ ରନ୍ ସଂଗ୍ରହ କରିଥିଲେ। ଆୟର୍ ୩ଟି ଚୌକା ସହ ୨୭ ରନ୍ କରି ଆଉଟ୍ ହୋଇଥିବା ବେଳେ ପନ୍ତ୍ ସୁରଙ୍ଗା ଲକମଲଙ୍କ ବଲ୍‌ରେ ବୋଲ୍‌ଡ ହେବା ଫଳରେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ। ଏହାପରେ ଦିନର ଖେଳ ଶେଷ ବେଳକୁ ଜାଡେଜା ୫ଟି ଚୌକା ସହ ୪୫ ରନ୍ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ଚୌକା ସହ ୧୦ ରନ୍ କରି ଅପରାଜିତ ଅଛନ୍ତି। ଶ୍ରୀଲଙ୍କା ପକ୍ଷରୁ ଲାସିଥ୍ ଏମ୍ବୁଲଦେନିୟା ୨ଟି ଏବଂ ଲକମଲ୍‌, ବିଶ୍ୱା ଫର୍ଣ୍ଣାଣ୍ଡୋ, କୁମାରା ଓ ଧନଞ୍ଜୟ ଡି’ସିଲ୍‌ଭା ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।