ଡେଭିସ୍ କପ୍ ୱାର୍ଲ୍ଡ ଗ୍ରୁପ୍ ପ୍ଲେଅଫ୍‌: ଡେନ୍‌ମାର୍କ ବିପକ୍ଷରେ ଭାରତ ୨-୦

ନୂଆଦିଲ୍ଲୀ,ଏଜେନ୍ସି: ଶୁକ୍ରବାରଠାରୁ ଏଠାରେ ଡେଭିସ୍ କପ୍ ୱାର୍ଲ୍ଡ ଗ୍ରୁପ୍ ପ୍ଲେଅଫ୍ ଟାଇ ଆରମ୍ଭ ହୋଇଥିବା ବେଳେ ଏଥିରେ ଡେନ୍‌ମାର୍କ ବିପକ୍ଷରେ ଭାରତ ୨-୦ରେ ଆଗୁଆ ରହିଛି। ପ୍ରଥମ ଦିନରେ ସିଙ୍ଗଲ୍ସ ଗେମ୍‌ରେ ୟୁକି ଭାମ୍ବ୍ରି ଓ ରାମକୁମାର ରାମନାଥନ୍ ଭାରତକୁ ଏହି ଅଗ୍ରଣୀ ଦେଇଛନ୍ତି। ଏଠାକାର ଜିମ୍‌ଖାନା କ୍ଲବ୍‌ସ୍ଥିତ ଗ୍ରାସ୍ କୋର୍ଟର ସମ୍ପୂର୍ଣ୍ଣ ଫାଇଦା ନେଇ ଭାରତୀୟ ଖେଳାଳିମାନେ ନିଜର ଦବ୍‌ଦବା କାଏମ୍ ରଖିଥିଲେ।

ପ୍ରଥମ ମ୍ୟାଚ୍‌ରେ ରାମକୁମାର ଡେନ୍‌ମାର୍କର କ୍ରିଷ୍ଟିଆନ୍ ସିଗସଗାର୍ଡଙ୍କୁ ୬-୩, ୬-୨ରେ ପରାସ୍ତ କରି ଭାରତକୁ ଆଗୁଆ କରାଇଥିଲେ। ଏହି ମ୍ୟାଚ୍‌ରେ ୧୭୦ତମ ର‌୍ୟାଙ୍କ୍‌ର ଖେଳାଳି ରାମନାଥନ୍‌ଙ୍କ ପାଇଁ ୮୨୪ ର‌୍ୟାଙ୍କ୍‌ର ଖେଳାଳି କ୍ରିଷ୍ଟିଆନ୍‌ଙ୍କୁ ହରାଇବା ପାଇଁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ି ନ ଥିଲା। ଫଳସ୍ୱରୂପ ମ୍ୟାଚ୍‌ଟି ମାତ୍ର ୫୯ ମିନିଟ୍‌ରେ ଶେଷ ହୋଇଥିଲା।

ସେହିପରି ୨୦୧୭ ପରେ ପ୍ରଥମ ଥର ପାଇଁ ଡେଭିସ୍ କପ୍‌ରେ ଖେଳୁଥିବା ୟୁକି ୬-୪, ୬-୪ରେ ମିକାଏଲ୍ ଟୋର୍ପେଗାର୍ଡଙ୍କୁ ହରାଇଥିଲେ। ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ଶନିବାର ରୋହନ୍ ବୋପନ୍ନା-ଦିବିଜ୍ ଶରନ୍‌ଙ୍କ ଯୋଡ଼ି ଫ୍ରେଡେରିକ୍ ନିଲସନ୍‌-ଜୋହାନେସ୍ ଇଙ୍ଗିଲଡସେନ୍‌ଙ୍କୁ ଭେଟିବେ। ଏହି ମ୍ୟାଚ୍‌କୁ ଜିତି ଉଭୟ ଭାରତ ପାଇଁ ଟାଇରେ ବିଜୟ ଅର୍ଜନ ପାଇଁ ଉଦ୍ୟମ କରିବେ।