ମୁମ୍ବାଇରେ ଦେଶର ସବୁଠୁ ବଡ଼ କୋଭିଡ ହସ୍ପିଟାଲ

ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇକୁ ଏବେ ଦେଶର କରୋନା ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ। ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପଲେକ୍ସରେ ଭାରତର ସବୁଠୁ ବଡ଼ କୋଭିଡ ହସ୍ପିଟାଲ ପାଖାପାଖି ପ୍ରସ୍ତୁତ ହୋଇସାରିଲାଣି। ୨୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ହୋଇଥିବା ଏହି ହସ୍ପିଟାଲରେ ମୋଟ ୧୦୦୮ଟି ଶଯ୍ୟା ରହିଛି।ମୁମ୍ବ।।ଇ ମେଟ୍ରୋପଲିଟନ୍ ରୀଜନ୍ ଡେଭଲପମେଣ୍ଟ ଅଥୋରିଟି ଏହି ହସ୍ପିଟାଲ ନିର୍ମାଣ କରିଛି। ମୁମ୍ବାଇ ସହ ଆଖପାଖ ଅଞ୍ଚଳର ବିକାଶ କରିବା ହେଉଛି ଏହି ଅଥୋରିଟିର ଦାୟିତ୍ତ୍ୱ।

ସୂଚନାନୁଯାୟୀ, ସରକାରଙ୍କ ନିର୍ଦ୍ଦେଶ ପରେ ମେ’ ୨ରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ହସ୍ପିଟାଲର ନିର୍ମାଣ କାମ ଆରମ୍ଭ ହୋଇଥିଲା। ଆଉ ମେ’ ୧୫ରୁ ୧୬ ତାରିଖ ମଧ୍ୟରେ ଏହି ହସ୍ପିଟାଲ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଏକ ଆନୁଷ୍ଠାନିକ ସୂତ୍ରରୁ ଜଣାପଡ଼ିଛି। ବଡ଼ ଆକାରରେ ପ୍ରସ୍ତୁତ ହେଉଥିବା ଏହି ହସ୍ପିଟାଲରେ ଏକ ରିସେପ୍ସନ ଏରିଆ ରହିବ ଯେଉଁଠି ନୂଆ ରୋଗୀଙ୍କ ଯାଞ୍ଚ କରାଯିବ। ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ହିଁ ସେମାନଙ୍କୁ ଭିନ୍ନ ଭିନ୍ନ ୱାର୍ଡରେ ଭର୍ତ୍ତି କରାଯିବ। ଅକ୍ସିଜେନ ଆବଶ୍ୟକ ଥିବା ରୋଗୀଙ୍କ ପାଇଁ ୫୦୦ ଶଯ୍ୟା ଆଉ ବଳକା ଅନ୍ୟମାନଙ୍କ ପାଇଁ ଉପଲବ୍ଧ କରାଯିବ। କରୋନା ଟେଷ୍ଟ ପାଇଁ ହସ୍ପିଟାଲରେ ଲ୍ୟାବ ସହ ଡାକ୍ତର, ନର୍ସ ଓ ମେଡିକାଲ କର୍ମଚାରୀଙ୍କ ରହିବା ପାଇଁ ବ୍ୟବସା କରାଯାଇଛି। ଆଗାମୀ ଦିନରେ ଏହି ହସ୍ପିଟାଲ ମୁମ୍ବାଇବାସୀଙ୍କ ପାଇଁ ବେଶ୍ ସହାୟୀ ହେବ ବୋଲି ଆଶା କରାଯାଉଛି।