ଅକ୍ସିଜେନ୍ ଯୋଗାଣ ପାଇଁ ଭାରତୀୟ ନୌସେନାର ଅଭିଯାନ, ୭ ଜାହାଜ ନିୟୋଜିତ

ନୁଆଦିଲ୍ଲୀ,ଏଜେନ୍ସି: ସଂପ୍ରତି କରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦେଶରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଅକ୍ସସିଜେନର ଅଭାବ ଦେଖାଦେଇଛି। ହସ୍ପିଟାଲର ଅକ୍ସିଜେନର ଅଭାବକୁ ପୂରଣ କରିବା ପାଇଁ ବିଭିନ୍ନ ଦେଶ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। କେଉଁଠି ବିମାନ ତ କେଉଁଠି ଟ୍ରକ ଯୋଗେ ଯୋଗେ ଅକ୍ସିଜେନ ଭାରତକୁ ପଠାଯାଉଛି। ଏହି ମଧ୍ୟରେ ଭାରତୀୟ ନୌସେନା ବିଭିନ୍ନ ଦେଶରୁ ଜଳପଥରେ ଅକ୍ସିଜେନ ଏବଂ ଖାଲି ଟ୍ୟାଙ୍କର ଆଣିବା ଲାଗି ଆରମ୍ଭ କରିଛି ସମୁଦ୍ର ସେତୁ-୨ ଅପରେସନ୍। ଆଜି ଭାରତୀୟ ନୌସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ନୌସେନାର ୭ଟି ଯୁଦ୍ଧ ଜାହାଜ ବିଭିନ୍ନ ଦେଶରୁ ଅକ୍ସିଜେନ ଟ୍ୟାଙ୍କର ସହିତ ବିଭିନ୍ନ ମେଡିକାଲ ଉପକରଣ ଯୋଗାଣରେ ନିୟୋଜିତ ଅଛନ୍ତି।

ଏହି ଅପରେସନରେ ନୌସେନାର ଆଇଏନଏସ୍ ତଲୱାର ଏବଂ ଆଇଏନଏସ୍ କୋଲକତାକୁ ପାର୍ସିଆନ ଗଲ୍ଫ ଅଞ୍ଚଳରେ ନିୟୋଜିତ ହୋଇ ମାନାମା ଏବଂ ବାହାରିନ ପୋର୍ଟରେ ଏପ୍ରିଲ ୩୦ ରେ ପହଞ୍ଚିଥିଲେ। ସେଠାରୁ ଆଇଏନଏସ୍ ତଲୱାର ୪୦ ମେଟ୍ରିକ ଟନ୍ ତରଳ ଅକ୍ସିଜେନ ନେଇ ଭାରତ ଅଭିମୁଖେ ବାହାରିଛି। ଆଇଏନଏସ୍ କୋଲକତା ଦୋହା ଏବଂ କତାରରୁ ମେଡିକାଲ ଉପକରଣ ନେଇ ଆସିବା ସହିତ କୁଏତରୁ ତରଳ ଅକ୍ସିଜେନ ନେଇ ଭାରତ ଆସିବ।

ସିଙ୍ଗାପୁରରେ ଆଇଏନଏସ୍ ଅ÷ଇରାବତ ତରଳ ଅକ୍ସିଜେନ୍ ପାଇଁ ପହଞ୍ଚିଥିବା ବେଳେ ଆଇଏନଏସ୍ ଜଳଶ୍ୱ ରିଜର୍ଭରେ ରହିଛି ମେଡିକାଲ ଉପକରଣ ଯୋଗାଣକୁ ତ୍ୱରିତ କରିବାକୁ।

ତେବେ ଦକ୍ଷିଣରେ ଆଇଏନଏସ୍ ଶାର୍ଦ୍ଧୁଲ ୪୮ ଘଣ୍ଟାରେ ଅପରେସନରେ ନିୟୋଜିତ ହେବ ବୋଲି ସୂଚନା ଦିଆଯାଇଛି। ଏହା ସହିତ ଆବଶ୍ୟକ ପଡିଲେ ଭାରତୀୟ ନୌସେନା ଏହାର ଅନ୍ୟ ଜାହାଜ ଗୁଡିକୁ ଅପରେସନରେ ନିୟୋଜିତ କରିବାକୁ କହିଥିଲା ବେଳେ ଏହାର ଜାହାଜ ଏବଂ ଯବାନ ମାନେ କରୋନା ମହାମାରୀ ସମୟରେ ଏହାର ସମୁଦ୍ର ଶକ୍ତି ଦେଖାଇବାକୁ ପ୍ରସ୍ତୁତ ଥିବା ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି।