ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରୁ ଅଫିସ୍ ନଆସିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତେଣୁ ସମସ୍ତ ସରକାରୀ ଅଫିସ ଶନିବାର ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ କର୍ମଚାରୀମାନଙ୍କୁ ତତ୍କାଳ ପ୍ରଭାବରେ ଅଫିସ୍ ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ସମ୍ପୃକ୍ତ କର୍ମଚାରୀମାନେ ମେ’ ୩୧ ତାରିଖ ପର୍ଯ୍ୟନ୍ତ ଘରୁ ରହି କାମ କରିବାକୁ କୁହାଯାଇଛି।

ଯଦି ଅଫିସରେ ଅତ୍ୟନ୍ତ ଜରୁରୀ କାମ ଥିବ ତା’ହେଲେ ଟେଲିଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ପ୍ରତି ଶନିବାର ବନ୍ଦ ରହିବ। ଏହା ପୂର୍ବରୁ ରାଜ୍ୟ ସରକାର ଭୁବନେଶ୍ୱର ଓ କଟକ ସହରରେ ଥିବା ଅଫିସଗୁଡ଼ିକରେ ଅତିକମରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ବିଭାଗଗୁଡ଼ିକ ସେମାନଙ୍କ ଅଧୀନରେ ଥିବା ଅଫିସଗୁଡ଼ିକର କେତେ କର୍ମଚାରୀଙ୍କୁ କାମ କରିହେବ ତା’ର ନିଷ୍ପତ୍ତି ନେଇପାରିବେ ବୋଲି ସଂଶୋଧିତ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଅବଶ୍ୟ ଉପସଚିବଠୁ ତଦୁର୍ଦ୍ଧ୍ୱ ପାହ୍ୟାର ଅଫିସରମାନେ ନିୟମିତ ଭାବେ ଅଫିସ୍ ଆସିବେ। ଯେଉଁ ଅଫିସରମାନେ ଭିପିଏନ୍ ନେଇଛନ୍ତି ସେମାନେ ଘରୁ ରହି ଅଫିସ୍ କାର୍ଯ୍ୟ କରିବେ। ଆଉ ଆବଶ୍ୟକ ପଡ଼ିଲେ ସ୍ୱଳ୍ପ ନୋଟିସରେ ଅଫିସ ଆସିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ଅତ୍ୟାବଶ୍ୟକ ସେବା ସହ ଜଡ଼ିତ ବିଭାଗ ଯଥା ସ୍ୱତନ୍ତ୍ର ରିଲିଫ କମିସନର ଓ ଓସଡମା କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଓ ମ୍ୟୁନିସିପାଲ ସେବାର କର୍ମଚାରୀମାନେ କାର୍ଯ୍ୟ କରୁଥିବା ଅଫିସଗୁଡ଼ିକ ସମ୍ପୂର୍ଣ୍ଣ ଷ୍ଟାଫରେ ଚାଲିବ।