ଇଣ୍ଡିଆନ ଆଇଡଲ ସିଜିନ୍‌ ୧୩: ବିଜୟ ମୁକୁଟ ପିନ୍ଧିଲେ ଅଯୋଧ୍ୟାର ଋଷି ସିଂହ

ମୁମ୍ବାଇ,ଏଜେନ୍ସି: ଲୋକପ୍ରିୟ ସିଙ୍ଗିଙ୍ଗ ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲର ୧୩ ତମ ସଂସ୍କରଣ ଶେଷ ହୋଇଛି । ୩୮ଟି ଅଧ୍ୟାୟ ପରେ ରବିବାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା । ୨୦୨୨ ସେପ୍ଟମ୍ବର ୧୦ ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ଆଇଡଲର ୧୩ ତମ ସିଜିନର ବିଜେତା ହୋଇଛନ୍ତି ଅଯୋଧ୍ୟାର ଋଷି ସିଂହ । ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ଏକ କାର ପ୍ରଦାନ କରାଯାଇଛି । ଦ୍ବିତୀୟ ସ୍ଥାନରେ କୋଲକାତାର ଦେବୋସ୍ମିତା ରଏ ରହିଥିବା ବେଳେ ତୃତୀୟ ସ୍ଥାନରେ ଜମ୍ମୁ-କାଶ୍ମୀରର ଚିରାଗ କୋଟୱାଲ ରହିଛନ୍ତି ।

ଋଷି ସିଂହ ଜଣେ ଦମଦାର ପ୍ରତିଯୋଗୀ ଥିଲେ । ସମସ୍ତ ଏପିସୋଡରେ ଖୁବ ଭଲ ସଙ୍ଗୀତ ଗାଇ ବିଚାରପତି ଓ ଅତିଥିଙ୍କ ମନ ଜିଣୁଥିଲେ । ଋଷିଙ୍କ ପ୍ରଦର୍ଶନରୁ ହିଁ ସ୍ପଷ୍ଟ ଆକଳନ କରାଯାଉଥିବା ଯେ ସେ ହିଁ ବିଜେତା ହେବେ । ଆକଳନ ସତ ହୋଇଛି । ଅଧିକ ଭୋଟ ପାଇଁ ଋଷି ସିଂହ ଇଣ୍ଡିଆନ ଆଇଡଲ ଚଳିତ ସିଜିନରେ ବାଜି ମାରି ନେଇଛନ୍ତି । ଦେବୋସ୍ମିତା ରଏ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଚିରାଗ କୋଟୱାଲ ତୃତୀୟ ସ୍ଥାନ, ବିଦିପ୍ତା ଓ ସୋନିଷୀ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଟ୍ରଫି ଜିତିବା ପରେ ଖୁସିରେ ବିଭୋର ହୋଇଥିଲେ ଋଷି ସିଂହ । ସେ ପ୍ରତିକ୍ରିୟାରେ କହିଥିଲେ,” ମୁଁ ବିଶ୍ବାସ କରିପାରୁ ନାହିଁ ମୋ ହାତରେ ଟ୍ରଫି ରହିଛି । ମୋ ସ୍ବପ୍ନ ସତ ହୋଇଛି । ମୋ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୋ ସ୍ବପ୍ନ ସତ କରିଥିବାରୁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ।” ଦ୍ବିତୀୟ ସ୍ଥାନରେ ଥିବା ଦେବୋସ୍ମିତା ରଏ ଓ ତୃତୀୟ ସ୍ଥାନରେ ଥିବା ଚିରାଗ କୋଟୱାଲଙ୍କୁ ଟ୍ରଫି ସହ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ବିଦିପ୍ତା ଓ ଶିବମଙ୍କୁ ୩ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସମସ୍ତ ୬ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କା ସହ ଗିପ୍ଟ ହାମ୍ପର ଦିଆଯାଇଛି ।