ରାମେଶ୍ବରରୁ ବାହୁଡ଼ିଲେ ପ୍ରଭୁ ଲିଙ୍ଗରାଜ, ଆଜି ପହଞ୍ଚିବେ ମନ୍ଦିରରେ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ଆରମ୍ଭ ହୋଇଯାଇଛି ପ୍ରଭୁ ଲିଙ୍ଗରାଜଙ୍କ ବାହୁଡା ଯାତ୍ରା । ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଅଧାବାଟରେ ଅଟକିଲା ରୁକୁଣା ରଥ । ରଥାରୂଢ଼ ପ୍ରଭୁ ଲିଙ୍ଗରାଜ ଗୋସାଗରେଶ୍ବର ଛକଠାରୁ ଅନତି ଦୂରରେ ତଥା ତିନିମୁଣ୍ଡିଆ ଛକଠାରୁ ପଛରେ ଅଟକି ରହିଛନ୍ତି । ଫଳରେ ବାହୁଡା ଯାତ୍ରାରେ ମନ୍ଦିରକୁ ଫେରି ପାରିନାହାନ୍ତି ମହାପ୍ରଭୁ ଲିଙ୍ଗରାଜ, ଭଉଣୀ ମା’ ରୁକ୍ମିଣୀ ଓ ପ୍ରଭୁ ଦୋଳଗୋବିନ୍ଦ । ସୋମବାର ଅପରାହ୍ନ ୩ଟାରୁ ରଥ ଟଣା ପୁଣି ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା । ରଥଟଣା ସମୟରେ ବାଧକ ସାଜିଛନ୍ତି ଉଠାଦୋକାନୀ ଓ ଗଛ ଡାଳ ।

ଅଶୋକାଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରୁକୁଣା ରଥରେ ରାମେଶ୍ୱର ମନ୍ଦିର ଯାତ୍ରା କରିଥିଲେ । ରବିବାର ଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ମହୋତ୍ସବ । ତେଣୁ ବିଧି ଓ ପରମ୍ପରା ଅନୁସାରେ ପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପ୍ରତ୍ୟାବର୍ତ୍ତନ ଲାଗି ସ୍ୱତନ୍ତ୍ର ନୀତି କରାଯାଇଥିଲା । ଭୋର ୬ଟାରେ ମଙ୍ଗଳ ଆଳତୀ, ଭୋର୍ ସାଢ଼େ ୬ଟାରୁ ପୂର୍ବାହ୍ନ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହୋଇଥିଲା । ପରେ ରୁକୁଣା ରଥରେ ଚାରି ଘୋଡ଼ା ଲାଗିବା ସହ ଚାରମାଳ ବନ୍ଧା ଯାଇଥିଲା । ଅପରାହ୍ନ ୧ଟା ପରେ ଅଧର ପଣା ନୀତି ଅନୁଷ୍ଠିତ ହୋଇଥିଲା । ଖରା ଯୋଗୁଁ ଅପରାହ୍ନ ୩ଟା ପରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ସମ୍ପନ୍ନ ହୋଇଥିଲା ।