ପ୍ରକାଶ ପାଇଲା ମାଗଣା ସିଭିଲ୍ ସର୍ଭିସ୍ କୋଚିଂର ରେଜଲ୍ଟ

ଭୁବନେଶ୍ବର,ଏନ୍‌ଏନ୍‌ଏସ୍‌: ପ୍ରକାଶ ପାଇଲା ମାଗଣା ସିଭିଲ୍ ସର୍ଭିସ୍ କୋଚିଂର ରେଜଲ୍ଟ । ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ର ଛାତ୍ରୀ ମାଗଣାରେ ପାଇପାରିବେ ସିଭିଲ୍ ସର୍ଭିସ୍ କୋଚିଂ । ଗତ ମାସ ୨୬ ତାରିଖରେ ରାଜ୍ୟର ୫ଟି ସହରରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରତିବର୍ଷ ଓଡ଼ିଶାର ଛାତ୍ରଛାତ୍ରୀଙ୍କର ସଫଳତାର ହାର କମିବାରେ ଲାଗିଛି । ଏନେଇ ରାଜ୍ୟ ସରକାର ରାଜ୍ୟରେ ମାଗଣା ସିଭିଲ୍ ସର୍ଭିସ କୋଚିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଗତ ମାସରେ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ସାମ୍ସ ପୋର୍ଟାଲ https://www.samsodisha.gov.inକୁ ଯାଇ ପ୍ରାର୍ଥୀମାନେ ନିଜ ନିଜର ପରୀକ୍ଷା ଫଳାଫଳ ଚେକ୍ କରିପାରିବେ ।

ରାଜ୍ୟରେ ମୋଟ ୮ ହଜାରରୁ ଅଧିକ ଆଶାୟୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ଜଣ ମେଧାବୀଙ୍କୁ ଚୟନ କରାଯାଇଛି । ସେମାନଙ୍କୁ ନେଇ ରାଜ୍ୟ ସରକାର ମାଗଣାରେ ପ୍ରଶାସନିକ ସେବା ପରୀକ୍ଷା ପାଇଁ ଟ୍ରେନିଂ ପ୍ରଦାନ କରିବେ । ରେଜଲ୍ଟ ଅନୁଯାୟୀ, ଜେନେରାଲ ବର୍ଗରେ ୧୦୦ଜଣଙ୍କୁ ଚୟନ କରାଯାଇଥିବା ବେଳେ ଏସଇବିସି ବର୍ଗରେ ୨୩ ଜଣ, ଏସସି ବର୍ଗରେ ୩୨ ଜଣ ଏବଂ ଏସଟି ବର୍ଗରେ ୪୫ ଜଣ ଚୟନ ହୋଇଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଶାସନିକ ସେବା ପରୀକ୍ଷାରେ ଅଧିକରୁ ଅଧିକ ଓଡ଼ିଆ ପିଲାମାନେ ସଫଳତା ପାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ତେବେ ଏନେଇ ରାଜ୍ୟ ସରକାର ପ୍ରାୟ ୨୦୦ଜଣଙ୍କୁ ମାଗଣାରେ କୋଚିଂ ଦେବା ଲାଗି ସ୍ଥିର କରିଛନ୍ତି । ଏଥିପାଇଁ ଗତ ୨୬ ତାରିଖରେ ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁର ସହରରେ ପରୀକ୍ଷା ସେଣ୍ଟର ହୋଇଥିଲା ।