ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ୩ ପ୍ରତିଯୋଗୀ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ, ଏନ୍ଏନ୍ଏସ୍ : ଆସନ୍ତା ୨୭ରୁ ଅକ୍ଟୋବର ୪ ତାରିଖ ଯାଏ ଭାରତୀୟ ମହିଳା ହକି ଦଳ ଇଂଲଣ୍ଡ ଟୁରରେ ଯିବ। ୫ଟି ମ୍ୟାଚ ଲଣ୍ଡନର ମାର୍ଲୋଠାରେ ଖେଳାଯିବ। ହକି ଇଣ୍ଡିଆ ଏହି ଟୁର ଲାଗି ରାନୀ ରାମପାଲଙ୍କ ନେତୃତ୍ୱରେ ଏକ ୧୮ଜଣିଆ ଖେଳାଳି ଦଳ ଘୋଷଣା କରିଛି। ଗୋଲକିପର ସବିତାଙ୍କୁ ଏହି ଦଳର ଉପଅଧିନାୟିକା ଭାବେ ମନୋନୀତ କରାଯାଇଛି। ଓଡ଼ିଶାରୁ ମାତ୍ର ୩ଜଣ ଖେଳାଳି ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜ ଏହି ଦଳରେ ସ୍ଥାନ ପାଇଛନ୍ତି। ମ୍ୟାଚ ଗୁଡିକ ସେପ୍ଟେମ୍ବର ୨୭, ୨୯, ଅକ୍ଟୋବର ୧, ୨ ଏବଂ ୪ ତାରିଖରେ ଖେଳାଯିବ।

ଏହି ଟୁର ଲାଗି ପୂର୍ବ ଟୁର୍ଣ୍ଣାମେଣ୍ଟ ଖେଳିଥିବା ଦଳରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। କିନ୍ତୁ ଅଭିଜ୍ଞ ଖେଳାଳି ନମିତା ଟପ୍ପୋ ଦଳକୁ ଫେରିବା ପରେ ଶକ୍ତି ବୃଦ୍ଧି ପାଇଛି। ପ୍ରଶିକ୍ଷଣ ଶିବିରରେ ସେ ଭଲ ଖେଳି ଦଳରେ ସ୍ଥାନ ପାଇବାରେ ସମର୍ଥ ହୋଇଛନ୍ତି। ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି, ଟୋକିଓରେ ଆସନ୍ତାବର୍ଷ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା। ଏଥିଲାଗି ଇଂଲଣ୍ଡ ଟୁର ଭଲ ପ୍ରସ୍ତୁତିରେ ସହାୟକ ହେବ। ଏସିଆନ ଗେମ୍ସ ପରେ ଆମେ ଭଲ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଖେଳିବା ସୁଯୋଗ ପାଇନାହୁଁ। ଏଥର ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିବାରେ ଯେପରି କୌଣସି ପ୍ରତିବନ୍ଧକ ନ ହେବ ସେଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛୁ ବୋଲି ଭାରତୀୟ ମହିଳା ଦଳର କୋଚ ଜୋଏର୍ଡ ମାରିନ କହିଛନ୍ତି।

ଭୁବନେଶ୍ୱରରେ ହେବାକୁ ଯାଉଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଆମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଆମେରିକା। ଉଭୟ ଆମେରିକା ଏବଂ ଗ୍ରେଟବ୍ରିଟେନର ହକି ଖେଳିବା ଶୈଳୀ ପ୍ରାୟ ସମାନ। ଏଣୁ ଏହି ଟୁର ଆମ ଲାଗି ବେଶ ସହାୟକ ହେବ ବୋଲି ସେ କହିଛନ୍ତି। ଇଂଲଣ୍ଡ ଯିବା ଲାଗି ଆହୁରି ୧୦ ଦିନ ବାକି ରହିଛି। ଆମେ ଆଉ ଟିକେ ଭଲ ପ୍ରସ୍ତୁତି କରିବୁ ବୋଲି ସେ କହିଥିଲେ।

ଖେଳାଳି ଦଳ: ସବିତା (ଉପଅଧିନାୟିକା) ଓ ରଜନୀ ଏଟିମୁରାପୁ (ଉଭୟେ ଗୋଲକିପର), ଦୀପଗ୍ରେସ ଏକ୍କା, ଗୁରଜିତ କୌର, ରୀନା ଖୋକର, ସଲୀମା ଟେଟେ (ସମସ୍ତେ ଡିଫେଣ୍ଡର), ସୁଶୀଳା ଚାନୁ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ୍, ନମିତା ଟପ୍ପୋ (ସମସ୍ତେ ମିଡଫିଲ୍ଡର), ରାନୀ ରାମପାଲ (ଅଧିନାୟିକା), ବନ୍ଦନା କଟରିଆ, ନଭନୀତ କୌର, ଲାଲରେମସିଆମି, ନଭଜ୍ୟୋତ କୌର ଓ ଶର୍ମିଳା ଦେବୀ।