ବିଦର୍ଭ ଲାଗି ଖେଳିବେ ଅଂଶୁମାନ ରଥ

ନାଗପୁର : ଦେବାଶିଷ ମହାନ୍ତି, ସଞ୍ଜୟ ରାଉଳ, ଶିବସୁନ୍ଦର ଦାସ ଏବଂ ପ୍ରଜ୍ଞାନ ଓଝାଙ୍କ ପରେ ପଞ୍ଚମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ହଂକଂର ଅଧିନାୟକ ଅଂଶୁମାନ ରଥ ଚଳିତ ସିଜନରେ ଭାରତୀୟ ଘରୋଇ କ୍ରିକେଟ ଖେଳିବାକୁ ଆଶା ରଖିଛନ୍ତିି। ଏଥିଲାଗି ସେ ବୋର୍ଡର୍ ଅଫ କ୍ରିକେଟ କଣ୍ଟ୍ରୋଲ ଇନ୍ ଇଣ୍ଡିଆ (ବିସିସିଆଇ) ଏବଂ ବିଦର୍ଭ କ୍ରିକେଟ ଆସୋସିଏସନ (ବିସିଏ) ସହ କଥାବାର୍ତ୍ତା କରିଛନ୍ତି। ରୋହିତ ଶର୍ମାଙ୍କ ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ନଜରକୁ ଆସିଥିବା ଅଂଶୁମାନ ଏବେ ନାଗପୁରରେ କ୍ଲବ କ୍ରିକେଟ ଖେଳି ନିଜକୁ ପ୍ରସ୍ତୁତ କରୁଛନ୍ତି। ସେ ସୁଯୋଗ ଅପେକ୍ଷାରେ ରହିଛନ୍ତି ଏବଂ ସମ୍ଭବ ହେଲେ ଆସନ୍ତା ଅକ୍ଟୋବରରୁ ଭାରତରେ ଘରୋଇ କ୍ରିକେଟ ଖେଳିବେ। ଏଥିଲାଗି ସେ ଗତବର୍ଷ ଏସିଆ କପ ପରେ ହଂକଂ କ୍ରିକେଟ ଛାଡିଦେଇଛନ୍ତି। ବିସିସିଆଇ ନିୟମ ଅନୁଯାୟୀ ଭାରତରେ ଘରୋଇ କ୍ରିକେଟ ଖେଳିବାକୁ ହେଲେ ତାଙ୍କୁ ଅତିକମରେ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ଫଳରେ ସେ ଆସନ୍ତାବର୍ଷ ଅକ୍ଟୋବର ମାସରେ ଯୋଗ୍ୟତା ଅର୍ଜନ କରିବା କଥା। କିନ୍ତୁ ଅଂଶୁମାନ ଭାରତୀୟ ଭିସାରେ ହଂକଂରେ ପରିବାର ସହ ରହୁଛନ୍ତି। ସେ ଆରମ୍ଭରୁ ଏଯାଏ ଭାରତୀୟ ନାଗରିକ ରହିଛନ୍ତି। ଏଣୁ ତାଙ୍କୁ ଶୀଘ୍ର ଯୋଗ୍ୟତା ମିଳିଯିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ ଲାଗି ସେ ଜଣେ ଲୋକାଲ ଅନକ୍ୟାପଡ ଖେଳାଳି ଭାବେ ଅକ୍ସନରେ ସାମିଲ ହୋଇ ପାରିବେ।
ଏ ସମ୍ପର୍କରେ ବିସିଏ ଡାଇରେକ୍ଟର ଅଫ କ୍ରିକେଟ ପ୍ରଶାନ୍ତ ବୈଦ୍ୟ ବିସିସିଆଇ ଜେନେରାଲ ମ୍ୟାନେଜର ସୟଦ ସବା କରିମଙ୍କ ସହ ଆଲୋଚନା କରିଛନ୍ତି। ବିଦର୍ଭ ଦଳ ଲାଗି ଯୋଗ୍ୟତା ଅର୍ଜନ କରିପାରିଲେ ଘରୋଇ କ୍ରିକେଟ ଖେଳିବା ସହଜ ହେବ ବୋଲି ସେ କହିଛନ୍ତି। ‘ଭାରତରେ ଏତେ ପ୍ରତିଭାଧାରୀ ଖେଳାଳି ଅଛନ୍ତି, କୌଣସି ଦଳରେ ସ୍ଥାନ ପାଇବା କଷ୍ଟକର। ଏଠାରେ କ୍ରିକେଟ ଖେଳର ଗୁଣାତ୍ମକ ମାନ ବହୁ ଉପରେ। ବିସିଏ କିନ୍ତୁ ପେସାଦାର ମନୋବୃତ୍ତି ନେଇ ମୋତେ କ୍ଲବ କ୍ରିକେଟ ଖେଳିବାକୁ ଅନୁମତି ଦେଇଛି। ଫଳରେ ଭାରତୀୟ ଘରୋଇ କ୍ରିକେଟ ଖେଳିବା ସ୍ୱପ୍ନ ସାର୍ଥକ ହେବ ଏବଂ ମୁଁ ମୋ କ୍ରିକେଟ କ୍ୟାରିୟର ବଞ୍ଚାଇପାରିବି’ ଅଂଶୁମାନ ରଥ କହିଛନ୍ତି। ଅନ୍ୟପକ୍ଷରେ କ୍ଲବ କ୍ରିକେଟ ଖେଳିଲେ ଯେ, ଅଂଶୁମାନଙ୍କୁ ବିଦର୍ଭ ଦଳରେ ସ୍ଥାନ ମିଳିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ସେ ଯଦି ଅତ୍ୟନ୍ତ ଭଲ ଖେଳ ପ୍ରଦର୍ଶନ କରିବେ, ତେବେ ଯାଉ ତାଙ୍କୁ ବିଦର୍ଭ ଦଳରେ ସ୍ଥାନ ମିଳିପାରେ ବୋଲି ପ୍ରଶାନ୍ତ ବୈଦ୍ୟ କହିଛନ୍ତି।
ଭୁବନେଶ୍ୱର ସତ୍ୟନଗର ବାସିନ୍ଦା ଭବାନୀଶଙ୍କର ଓ ସୁଜାତା ୧୯୯୪ରେ ହଂକଂ ଚାଲିଯିବାପରେ ଅଂଶୁମାନ ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ସେଠାରେ ସେ ୧୨ ବର୍ଷ ବୟସରୁ କ୍ରିକେଟ ଖେଳିଆସୁଛନ୍ତି। ଏହା ପରେ ସେ ପ୍ରଥମଶ୍ରେଣୀ ଏବଂ ଅନ୍ୟ କ୍ରିକେଟ ଖେଳିବାକୁ ଇଂଲଣ୍ଡ ଯାଇଥିଲେ। ମିଡଲସେକ୍ସ ପକ୍ଷରୁ କିଛି ଦିନ ଖେଳିବା ପରେ ତାଙ୍କୁ ହଂକଂ ଫେରିବାକୁ ପଡ଼ିଥିଲା। ସେଠାରେ ଆସୋସିଏଟ ଦେଶର ଖେଳାଳିଙ୍କ ଲାଗି ଅଧିକ କ୍ରିକେଟ ଖେଳିବାକୁ ଅନୁମତି ଦିଆଯାଉ ନାହିଁ। ଯାହା ଫଳରେ ମୁଁ ମୋ ପାଠପଢା ଅଧାରୁ ଛାଡି ହଂକଂ ଫେରିଆସିଥିଲା। ହଂକଂରେ କ୍ରିକେଟ ଲାଗି ଏତେ ସୁବିଧା ନାହିଁ। ଏହି ଦଳରେ ରହିଲେ ମଧ୍ୟ ବଡ଼ ବଡ଼ ଦେଶ ଗୁଡ଼ିକ ସହ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିବା କଷ୍ଟକର। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ୧୦ଟି ଦଳ ଅଂଶଗ୍ରହଣ କରିବେ। ଏଣୁ ବିଶ୍ୱ ସ୍ତରରେ ଖେଳିବା ସମ୍ଭାବନା କମ ବୋଲି ଅଂଶୁମାନ କହିଛନ୍ତି। ଭାରତରେ ମୁଁ କ୍ଲବ କ୍ରିକେଟ ଖେଳିବାକୁ ଆସିନାହିଁ, ଏଠାରେ ୧୨ରୁ ୧୫ ବର୍ଷ କ୍ରିକେଟ ଖେଳିବି ଏବଂ ଭାରତକୁ ପ୍ରତିନିଧିତ୍ୱ କରିବା ମୋ’ର ଲକ୍ଷ୍ୟ ବୋଲି ସେ କହିଛନ୍ତି। ୨୦୧୮ରେ ହଂକଂ ସିନିୟର ଦଳର ଉପଅଧିନାୟକ ଏବଂ ୨୦୧୯ରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଏହି ବାମହାତୀ ଓପନର। ଏହା ପରେ ଭାରତରେ ଘରୋଇ କ୍ରିକେଟ ଖେଳିବା ଲାଗି ସେ ହଂକଂ ଜାତୀୟ ଦଳ ଛାଡିଦେଇଥିଲେ। ଏବେ ତାଙ୍କୁ ଖେଳିବା ସୁଯୋଗ ମିଳିବ କି ନାହିଁ ତାହା ଆଉ ୨ ମାସ ମଧ୍ୟରେ ଜଣାପଡ଼ିବ।
ବିଦର୍ଭ ପକ୍ଷରୁ ସେ ଯଦି ସୁଯୋଗ ପାଅନ୍ତି ତେବେ ଓଡ଼ିଶାରେ ଆଦୌ ସିନିୟର କ୍ରିକେଟ ନ ଖେଳି ଅନ୍ୟ ରାଜ୍ୟକୁ ପ୍ରତିନିଧିତ୍ୱ କରିବାରେ ସେ ତୃତୀୟ ଖେଳାଳି ହେବେ। ପୂର୍ବରୁ ହାଇଦ୍ରାବାଦ ପକ୍ଷରୁ ପ୍ରଜ୍ଞାନ ଓଝା ଏବଂ ମହାରାଷ୍ଟ୍ର ପକ୍ଷରୁ ଅଭିଷେକ ରାଉତ ଘରୋଇ କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି। କେନ୍ଦୁଝର ଆନନ୍ଦପୁରର ବାସିନ୍ଦା ୩୨ ବର୍ଷୀୟ ଅଭିଷେକ ଏବେ ଓଡ଼ିଶା ଲାଗି ଭାରତୀୟ ଘରୋଇ କ୍ରିକେଟ ଖେଳୁଛନ୍ତି।