କାବୁଲସ୍ଥିତ ଭାରତୀୟ ଦୂତାବାସରେ ଫସିରହିଛନ୍ତିି ୨୦୦ରୁ ଊଦ୍ଧ୍ୱର୍ କର୍ମଚାରୀ ଓ ଯବାନ

  • ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସେଠାରେ ଥିବା ଭାରତୀୟ ଦୂତାବାସ କର୍ମଚାରୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଛି। ପୂର୍ବରୁ ଭାରତ ସରକାର ଆଫଗାନିସ୍ତାନର ବିଭିନ୍ନ ସହରରେ ଥିବା ଭାରତୀୟ କନସୁଲେଟ କର୍ମଚାରୀମାନଙ୍କୁ ଫେରାଇ ଆଣିଥିଲେ ବି କାବୁଲସ୍ଥିତ ଦୂତାବାସରେ ଏବେ ପ୍ରାୟ ୨୦୦ କର୍ମଚାରୀ ଓ ଯବାନ ଫସି ରହିଛନ୍ତି। ସେମାନଙ୍କୁ ଆଣିବାକୁ ଭାରତ ସରକାର ପଠାଇଥିବା ଏକ ବିମାନ ଏବେ ବି କାବୁଲ ଏୟାରପୋର୍ଟରେ ଥିଲେ ମଧ୍ୟ ସେଠାରେ ଚାଲିଥିବା ଦଳାଚକଟା ଯୋଗୁଁ ବିମାନ ଆସିପାରୁନାହିଁ।
    ଗତକାଲି କାବୁଲକୁ ଦଖଲ କରିବା ପରେ ସମଗ୍ର ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହା ସହିତ ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଆଫଗାନ ବାୟୁସୀମାକୁ ବନ୍ଦ କରିଦିଆଯାଇଛି। ଏପରି ସ୍ଥିତିରେ ସେଠାରେ ଥିବା ଭାରତୀୟ କର୍ମଚାରୀ ଓ ପ୍ରାୟ ୧୦୦ ଜଣ ଆଇଟିବିପି ଯବାନଙ୍କୁ କିପରି ସୁରକ୍ଷିତଭାବେ ଭାରତ ଫେରାଇ ଅଣାଯିବ ତାହାକୁ ନେଇ ଭାରତ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଏନେଇ ଏକ ଯୋଜନା କରିବାକୁ କ୍ୟାବିନେଟ୍ ସେକ୍ରେଟାରୀ ଓ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଜାରି ରହିଛି।