ସାଢ଼େ ୯୨ ଲକ୍ଷ ପରିବାରକୁ ମିଳିବ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ: ସ୍ୱାସ୍ଥ୍ୟମନ୍ତ୍ରୀ

  • ଝାରସୁଗୁଡ଼ା: ରାଜ୍ୟର ପାଖାପାଖି ୯୨ ଲକ୍ଷ ୫୦ ହଜାର ପରିବାରକୁ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ପ୍ରଦାନ କରାଯିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଲୋକାର୍ପିତ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବାବେଳେ ରାଜ୍ୟବାସୀଙ୍କ ହିତ ଓ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।
    ଏହି ଯୋଜନାରେ ପୁରୁଷଙ୍କୁ ପ୍ରତ୍ୟେକ ବର୍ଷ ୫ ଲକ୍ଷ ଟଙ୍କା ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଏଥିରେ ଅନୁବନ୍ଧିତ ସମସ୍ତ ହସ୍ପିଟାଲରୁ ଏହି ଚିକିତ୍ସା ସେବା ମିଳିପାରିବ। ଏହି କାର୍ଡ଼ରେ ଏକ ୬୪ କେବି ଚିପ ଲାଗିବ। ଏହି କାର୍ଡ଼ ମାଧ୍ୟମରେ ଡେବିଟ କାର୍ଡ଼ ଭଳି ସୁବିଧା ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସ୍ପଷ୍ଟ କରିଛନ୍ତି। ଏଥିରେ ପରିବାର ସଦସ୍ୟଙ୍କ ନାମ, ଠିକଣା, ଆଧାର କାର୍ଡ଼ ନମ୍ବର, ଲିଙ୍ଗ ତଥା ଅନ୍ୟାନ୍ୟ ତଥ୍ୟ ଓଡ଼ିଆ ଓ ଇଂରାଜୀ ଭାଷାରେ ରହିବା ସହିତ କାର୍ଡ଼ ଦେଖାଇ ଜଣେ ରୋଗୀ ବିଶେଷଜ୍ଞ ଡାକ୍ତରଙ୍କଠାରୁ ଚିକିତ୍ସା ସେବା ଗ୍ରହଣ କରିପାରିବ। ଏହି ଯୋଜନାର ସୁପରିଚାଳନା ପାଇଁ ପ୍ରତି ଜିଲ୍ଲାରେ ଜଣେ ସ୍ୱାସ୍ଥ୍ୟମିତ୍ର ନିଯୁକ୍ତ କରାଯିବାକୁ ଥିବାବେଳେ ଟୋଲ ଫ୍ରି ନମ୍ବର (୧୦୪)ରେ ଜଣେ ବ୍ୟକ୍ତି ତା’ର ଚିକିତ୍ସା ସମ୍ବନ୍ଧୀୟ ଓ କାର୍ଡ଼ ସମ୍ପର୍କରେ ଅନୁସନ୍ଧାନ କରିପାରିବେ। ଏହି କାର୍ଡ଼ ଦ୍ୱାରା ଲୋକଙ୍କୁ ଆଉ କ’ଣ ସୁବିଧା ଯୋଗାଇ ଦିଆଯାଇପାରିବ ସେ ନେଇ ବିଚାର ଆଲୋଚନା ଜାରି ରହିଥିବା ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି।