ରମଲ୍ଲା/ନୂଆଦିଲ୍ଲୀ,ଏଜେନ୍ସି: ପାଲେଷ୍ଟାଇନ୍ରୁ ଏକ ଦୁଃଖଦ ଖବର ଆସିଛି। ସେଠାରେ ମୁତୟନ ଥିବା ଭାରତର ରାଜଦୂତଙ୍କ ମୃତ୍ୟୁ ହୋଇଛି। ପାଲେଷ୍ଟାଇନରେ ଭାରତର ରାଜଦୂତ ରମଲ୍ଲାସ୍ଥିତ ଦୂତାବାସରେ ମୃତଦେହ ଠାବ ହୋଇଛି। ବିଦେଶମନ୍ତ୍ରୀ ଡ. ସୁବ୍ରମଣ୍ୟମ ଜୟଶଙ୍କର ପାଲେଷ୍ଟାଇନରେ ଭାରତୀୟ ରାଜଦୂତଙ୍କ ପରଲୋକ ନେଇ ଟୁଇଟ୍କରି ଗଭୀର ଶୋକ ପ୍ରକାଶ କରିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାଲେଷ୍ଟାଇନର ରମଲ୍ଲାରେ ଭାରତର ରାଜଦୂତ ମୁକୁଳ ଆର୍ଯଙ୍କ ମୃତଦେହ ରବିବାର ଦୂତାବାସରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୁକୁଳ ଆର୍ଯ୍ୟଙ୍କ ମୃତ୍ୟୁ କେମିତି ହେଲା, ସଂପର୍କରେ ଏପର୍ଯ୍ୟନ୍ତ ଅଧିକ ତଥ୍ୟ ଜଣାପଡ଼ି ନାହିଁ। ବିଦେଶମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ୍ କରି କହିଛନ୍ତି ଯେ, ମୁକୁଳ ଆର୍ଯ୍ୟ ଜଣେ ପ୍ରଭାବଶାଳୀ ଅଧିକାରୀ ଥିଲେ। ଶ୍ରୀ ଜୟଶଙ୍କର ମୁକୁଳ ଆର୍ଯ୍ୟଙ୍କ ପରିବାର ଓ ସଂପର୍କୀୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ, ୨୦୦୮ ବେଞ୍ଚର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ ଆର୍ଯ୍ୟ କାବୁଲ ଓ ମସ୍କୋସ୍ଥିତ ଭାରତୀୟ ଦୂତାବାସରେ କାମ କରିଥିଲେ। ଆର୍ଯ୍ୟ ଦିଲ୍ଲୀରେ ବିଦେଶ ମନ୍ତ୍ରାଳୟର ମୁଖ୍ୟକାର୍ଯ୍ୟାଳୟରେ ମଧ୍ୟ କାମ କରିଥିଲେ। ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ପାଠ ପଢ଼ିଥିଲେ।