ଉତ୍ତର ପ୍ରଦେଶ ନିର୍ବାଚନ: ଆଜି ଶେଷ ପର୍ଯ୍ୟାୟରେ ପୂର୍ବାଞ୍ଚଳର ୫୪ ଆସନରେ ମତଦାନ

ଲଖନଉ, ମାର୍ଚ୍ଚ ୦୭ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଶେଷ ପର୍ଯ୍ୟାୟରେ ମତଦାନ ହେଉଛି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟରେ ପୂର୍ବାଞ୍ଚଳର ୫୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ଯାଏଁ ଜାରି ରହିବ।

ପୂର୍ବାଞ୍ଚଳର ୫୪ଟି ବିଧାନସଭା ଆସନରେ ମୋଟ ୬୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ମତଦାତାମାନେ ରାଜନୈତିକ ପ୍ରତିନିଧିଙ୍କ ଭାଗ୍ୟ ଇଭିଏମ୍ ଭିତରେ ସିଲ କରିବେ। ପୂର୍ବାଞ୍ଚଳର ଯେଉଁ ୯ଟି ଜିଲ୍ଲାରେ ଆଜି ମତଦାନ ହେଉଛି ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ସହିତ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସଂସଦୀୟ କ୍ଷେତ୍ର ଆଜମଗଡ଼ ମଧ୍ୟ ସାମିଲି ରହିଛି।

ସପ୍ତମ ପର୍ଯ୍ୟାୟରେ ବାରାଣସୀ ସମେତ ଗାଜିପୁର, ଆଜମଗଡ଼, ମଉ, ଜୌନପୁର, ମିର୍ଜାପୁର, ଚନ୍ଦୋଲି ଓ ସେନଭଦ୍ର ଜିଲ୍ଲାରେ ଭୋଟିଂ ହେଉଛି। ଅନ୍ତିମ ପର୍ଯ୍ୟାୟର ଭୋଟିରେ ବିଭ୍ରାଟ ନହେବା ପାଇଁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ହେଉଛି। ଏଥିରୁ ଏପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ମତଦାନ ସରିଛି। ଗତ ୧୦ ତାରିଖ ଠାରୁ ମତଦାନ ଆରମ୍ଭ ହୋଇଥିଲା। ଚଳିତ ମାସ ୧୪, ୨୦ ୨୩, ୨୭ ଓ ମାର୍ଚ୍ଚ ୩ ତାରିଖରେ ପର୍ଯ୍ୟାୟ କ୍ରମେ ମତଦାନ ହୋଇଥିଲା। ଫଳାଫଳ ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ।