ସାଉଥ୍ ଆଫ୍ରିକା ୧୮୯ରେ ଅଲଆଉଟ୍, ୨-୦ରେ ଭାରତର ସିରିଜ କବଜା

ପୁଣେ: ଘରୋଇ ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଏଠାରେ ଅନୁଷ୍ଠିତ ସାଉଥ୍ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଇନିଂସ୍ ଓ ୧୩୯ ରନରେ ଜିତି ଭାରତ ୨-୦ରେ ଗାନ୍ଧୀ-ମାଣ୍ଡେଲା ସିରିଜ କବଜା କରିଛି। ଭାରତର ପ୍ରଥମ ଇନିଂସ୍ ରେ ୬୦୧ ରନ୍ ଜବାବରେ ଭ୍ରମଣକାରୀ ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ୍ ରେ ୨୭୫ ରନ୍ ସଂଗ୍ରହ କରି ଅଲଆଉଟ୍ ହୋଇଥିଲା। ଏହା ସହ ଭାରତଠାରୁ ୩୨୬ ରନରେ ପଛୁଆ ରହି ଫଲୋଅନର ଶିକାର ହୋଇଥିଲା।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ସାଉଥ୍ ଆଫ୍ରିକା ୧୮୯ ରନରେ ଅଲଆଉଟ୍ ହୋଇଥିଲା। ଓପନର ଡିନ୍ ଏଲଗାର ସର୍ବାଧିକ ୪୮ ରନ୍ କରିଥିବା ବେଳେ ତେମ୍ବା ବଭୂମା ୩୮ ରନ୍ କରିଥିଲେ। ଭାରତ ପକ୍ଷରୁ ଉମେଶ ଯାଦବ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ୱିନ ଦୁଇଟି ଏବଂ ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ଦ୍ୱିଶତକୀୟ ଇନିଂସ୍ ପାଇଁ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଭାରତ ଏହି ମ୍ୟାଚ୍ ଜିତିବା ସହ ସିରିଜ ବିଜୟୀ ହୋଇଛି। ଏହାଦ୍ୱାରା ଘରୋଇ ପରିବେଶରେ ଭାରତ ଲଗାତାର ସର୍ବାଧିକ ୧୧ଟି ସିରିଜ ଅପରାଜେୟ ରହି ରେକର୍ଡ ସୃଷ୍ଟି କରିଛି। କୋହଲିଙ୍କ ନେତୃତ୍ୱରେ ଭାରତର ଏହା ୫୦ତମ ଟେଷ୍ଟ ମ୍ୟାଚରୁ ୨୦ତମ ବିଜୟ।

ଫଲୋଅନ୍ ପରେ ସାଉଥ୍ ଆଫ୍ରିକା ପକ୍ଷରୁ ଏଡେନ୍ ମାର୍କରାମ ଓ ଡିନ୍ ଏଲଗାର ପାଳି ଆରମ୍ଭ କରିଥିଲେ। ପ୍ରଥମ ଓଭରର ଦ୍ୱିତୀୟ ବଲରେ ମାର୍କରାମକୁ ଏଲବି କରି ଈଶାନ୍ତ ଶର୍ମା ଭାରତପାଇଁ ପ୍ରଥମ ସଫଳତା ଆଣିଥିଲେ। ଏହାପରେ ଦଳୀୟ ସ୍କୋର ୨୧ରନରେ ଥେଉନିସ୍ ଡି ବ୍ରୁଏନ୍ ୮ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଆଉଟ୍ ପରେ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ ନିଜ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ୪ ନମ୍ବର ସ୍ଥାନରେ ଖେଳିଥିଲେ।

ଡିନ୍ ଏଲଗାର ୪୮ ରନ୍ କରି ପାଭିଲିୟନ୍ ଫେରିଥିଲେ। ପରେ ଡି କକ୍ ୫ ରନ୍ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୧୨୫ରେ ତେମ୍ବା ବଭୁମା ୩୮ ଓ ୧୨୯ରେ ସେନୁରନ୍ ମୁଥୁସାମୀ ୯ ରନ୍ କରି ଆଉଟ୍ ହୋଇଥିଲେ। ଭର୍ଣ୍ଣନ୍ ଫିଲାଣ୍ଡର (୩୭) ଓ କେଶବ ମହରାଜ (୨୨) ଅଷ୍ଟମ ୱିକେଟରେ ୫୬ ରନର ପାର୍ଟନରଶିପ କରିଥିଲେ। କିନ୍ତୁ ଦଳକୁ ପରାଜୟରୁ ବଞ୍ଚାଇବା ପାଇଁ ଏହା ସକ୍ଷମ ନଥିଲା।

ସ୍କୋରବୋର୍ଡ

ଭାରତ ପ୍ରଥମ ଇନିଂସ୍ ୬୦୧/୫ (ପାଳିଘୋଷଣା)
ସାଉଥ୍ ଆଫ୍ରିକା ପ୍ରଥମ ଇନିଂସ୍ ୨୭୫ (ଫଲୋଅନ୍)
ସାଉଥ୍ ଆଫ୍ରିକା ଦ୍ୱିତୀୟ ଇନିଂସ୍ ୧୮୯