ଶ୍ରେୟସଙ୍କ ଦମଦାର ଶତକ, ସିରିଜ ବରାବର କଲା ଭାରତ

ରାଞ୍ଚି,ଏଜେନ୍ସି: ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ ମ୍ୟାଚକୁ ୭ ୱିକେଟରେ ଜିତି ନେଇଛି ଭାରତ । ଏହା ସହ ସିରିଜ ୧-୧ରେ ବରାବର ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୭୮ ରନ କରିଥିଲା ଭ୍ରମଣକାରୀ ଦଳ । ତେବେ ଭାରତୀୟ ଯୁବ ବ୍ୟାଟର ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ଦମଦାର ଭାଗିଦାରୀ ବଳରେ ଭାରତ ବିଜୟ ହାସଲ କରିଛି ।

ଆଜିର ମ୍ୟାଚରେ ଇଶାନ କିଶନ ଧୂଆଁଧାର ପାଳି ଖେଳିଥିଲାବେଳେ ମାତ୍ର ୭ ରନରେ ଶତକରୁ ବଞ୍ଚିତ ହୋଇଥିଲେ । ଅନ୍ୟପଟେ ଶ୍ରେୟସ ଆୟର ବଡ଼ ସଟ ଖେଳିବା ଜାରି ରଖିଥିଲେ । ସେ ୧୧୧ ବଲରେ ୧୧୩ ରନ ହାସଲ କରିଛନ୍ତି । ପଞ୍ଚମ ୱିକେଟ ପାଇଁ ସଞ୍ଜୁ ସାମସନ ପିଚକୁ ଓହ୍ଲାଇ ଷ୍ଟ୍ରାଇକ ରୋଟେଟ କରିଥିଲେ । ସେ ୩୬ ବଲରେ ୩୦ ରନ କରିଛନ୍ତି । ଭାରତ ୪୫.୫ ଓଭରରେ ୩ ୱିକେଟ ହରାଇ ଟାର୍ଗେଟ ହାସଲ କରିଥିଲା । ଏହାପରେ ୩ ଟିକିଆ ଦିନିକିଆ ସିରିଜ ୧-୧ରେ ବରାବର ହୋଇଛି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଫର୍ଚୁଇନ, ରାବାଡ଼ା ଓ ପାର୍ନେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ଏହା ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ କେଶବ ମହାରାଜ । ତେବେ ପାଳି ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ଭଲ ଆରମ୍ଭ ମିଳିପାରିନଥିଲା । ହେଣ୍ଡ୍ରିକ୍ସଙ୍କ ୭୪ ଓ ମକ୍ରମଙ୍କ ୭୯ ରନ ବଳରେ ଭାରତକୁ ୨୭୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା ଦକ୍ଷିଣ ଆଫ୍ରିକା । ଭାରତ ପକ୍ଷରୁ ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ୱାସିଂଟନ ସୁନ୍ଦର, ଶାହାବାଜ ଅହମ୍ମଦ, କୁଲଦୀପ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।