ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ: ଆଜି ଭାରତ-ପାକିସ୍ତାନ ମୁକାବିଲା, ଜାଣନ୍ତୁ ରେକର୍ଡ

ବର୍ମିଂହାମ,ଏଜେନ୍ସି: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚଳିତ ଥର କ୍ରିକେଟକୁ ମଧ୍ୟ ସାମିଲ କରାଯାଇଛି । ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ବର୍ମିଂହାମସ୍ଥିତ ଆଜବେଷ୍ଟନରେ ଭାରତୀୟ ସମୟ ଅନୁସାରେ ଅପରାହ୍ନ ସାଢ଼େ ୩ଟାରେ ଏହି ମ୍ୟାଚ ଆରମ୍ଭ ହେବ । ତେବେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଭାରତ ପରାସ୍ତ ହୋଇଥିବାରୁ ପାକିସ୍ତାନ ବିପକ୍ଷରେ ଆଜି ନିଜକୁ ସଂଶୋଧିତ କରିବ । ପାକିସ୍ତାନ ମଧ୍ୟ ନିଜର ପ୍ରଥମ ମୁକାବିଲାରେ ବାରବାଡୋସ ଠାରୁ ପରାସ୍ତ ହେବାକୁ ପଡ଼ିଛି । ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ।

ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନର ମହିଳା ଟିମ୍ ମଧ୍ୟରେ ୧୧ ଥର ମୁହାଁମୁହିଁ ହୋଇଛି । ଏଥିରେ ଭାରତ ୯ଟି ଜିତିଛି । ପାକିସ୍ତାନକୁ କେବଳ ୨ଟି ମ୍ୟାଚ ଜିତିବାକୁ ସୁଯୋଗ ମିଳିଛି । ପାକିସ୍ତାନ ୨୦୧୬ ଟି-୨୦ ବିଶ୍ୱକପରେ ଶେଷଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଥିଲା । ମାତ୍ର ୧ ରନ୍‌ରେ ଏହି ବିଜୟ ମିଳିଥିଲା । ୨୦୧୨ରେ ଭାରତକୁ ପାକିସ୍ତାନ ୧ ରନ୍‌ରେ ପରାସ୍ତ କରିଥିଲା । ଉଭୟ ଟିମ୍ ମଧ୍ୟରେ ୨୦୧୮ରେ ଶେଷ ମୁକାବିଲା ହୋଇଥିଲା, ଯେଉଁଥିରେ କି ଭାରତ ୭ ୱିକେଟରେ ବିଜୟ ହାସଲ କରିଥିଲା ।

ବର୍ତ୍ତମାନର ଉଭୟ ଭାରତ ଓ ପାକିସ୍ତାନର ଟିମ୍‌କୁ ଯଦି ଦେଖିବା ଓ ସମୀକ୍ଷା କରିବା, ତାହେଲେ ଭାରତୀୟ ଅଧିନାୟିକା ହରମନପ୍ରୀତ କୌରଙ୍କ ଟିମକୁ ପାକିସ୍ତାନ ବିପକ୍ଷରେ ଖେଳିବା ପୂର୍ବରୁ ବଡ଼ ରଣନୀତି କରିବାକୁ ପଡ଼ିବ । କାରଣ ପାକିସ୍ତାନ ଟିମ ଏବେ ମଜବୁତ ସ୍ଥିତିରେ ଅଛି । ଅନ୍ୟପଟରେ ଖେଳରେ ହାରିବା-ଜିତିବା ଭିନ୍ନ କଥା ।