ଭାରତ-ଇଂଲଣ୍ଡ ଦିନିକିଆ ମହିଳା ସିରଜ: ସିରିଜ କବଜା କଲା ଭାରତ

କ୍ୟାଣ୍ଟରବ୍ୟୁରୀ,ଏନ୍ଏନ୍ଏସ୍: ୨୩ ବର୍ଷ ପରେ ଇଂଲଣ୍ଡ ମାଟିରେ ଦିନିକିଆ ସିରଜ କବଜା କରିଛି ଭାରତୀୟ ମହିଳା ଦଳ । ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡକୁ ୮୮ରନ ରନରେ ହରାଇ ଆଗୁଆ ସିରିଜ ସିଲ କରିଛି ଭାରତ । ଅଧିନାୟିକା ହର୍ମନପ୍ରୀତ କୌରଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୫ ୱିକେଟ ହରାଇ ୩୩୩ ରନ କରିଥିଲା । ଜବାବରେ ଇଂଲଣ୍ଡ ମାତ୍ର ୨୪୫ ରନ କରିବାରେ ସକ୍ଷମ ହୋଇଥିଲା । ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

ଟସ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ସେଫାଳି ବର୍ମା ଓ ସ୍ମୃତି ମାନ୍ଧନା ପାଳି ଆରମ୍ଭ କରିଥିଲେ । ସେଫାଳି ମାତ୍ର ୮ ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାରୁ ଆସିଥିଲେ ୟସ୍ତିକା ଭାଟିଆ । ଅପରାଜିତ ସ୍ମୃତି ମାନ୍ଧନାଙ୍କ ସହ ମିଶି ଦ୍ବିତୀୟ ୱିକେଟରେ ୫୫ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୬୬ ବେଳକୁ ୟସ୍ତିକା ଭାଟିଆ ଆଉଟ ହୋଇଥିଲେ । ଏହାପରେ କ୍ରିଜକୁ ଆସିଥିଲେ ହର୍ମନପ୍ରୀତ । ଅଧିନାୟିକାଙ୍କ ବିସ୍ଫୋରକ ବ୍ୟାଟିଂରେ ଦଳୀୟ ସ୍କୋର ଦ୍ରୁତ ଗତିରେ ଆଗକୁ ବଢିଥିଲା । ମାନ୍ଧନା ଓ ହର୍ମନପ୍ରୀତଙ୍କ ମଧ୍ୟରେ ୩୩ ରନର ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର ୯୯ରେ ମାନ୍ଧନା ବ୍ୟକ୍ତିଗତ ୪୦ ରନ କରି (୪ଚୌକା,୧ଛକା) ଏକ୍ଲେଷ୍ଟୋନଙ୍କ ବଲରେ ଆଉଟ ହୋଇଥିଲେ । ହର୍ମମପ୍ରୀତ ଦୃଢ ବ୍ୟାଟିଂ ଜାରି ରଖିଥିଲେ।

ସ୍ମୃତିଙ୍କ ପରେ ହର୍ମନପ୍ରୀତଙ୍କ ସହ ଯୋଗ ଦେଇଥିଲେ ହର୍ଲିନ । ଦଳୀୟ ସ୍କୋର ୪୦ ଓଭର ସୁଦ୍ଧା ୨୧୨ରେ ପହଞ୍ଚିଥିଲା । ହର୍ଲିନ ୫୮ ରନ କରି ଆଉଟ ହୋଇଥିଲେ। ହେଲେ ହର୍ମନପ୍ରୀତଙ୍କୁ ଅଟକାଇବା ଇଂଲଣ୍ଡ ବୋଲରଙ୍କ ପାଇଁ କାଠିକର ପାଠ ହୋଇଥିଲା । ଅର୍ଦ୍ଧଶତକ ପରେ ହର୍ମନପ୍ରୀତ ବିସ୍ଫୋରକ ବ୍ୟାଟିଂ କରିଥିଲେ । ୧୧୧ ବଲରେ ୧୪୩ ରନ କରିଥିଲେ (୧୮ ଚୌକା, ୪ ଛକା) ହର୍ମନପ୍ରୀତ । ଅନ୍ୟମାନଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର ୧୮ ଓ ଦିପ୍ତୀ ଶର୍ମା ଅପରାଜିତ ୧୫ ରନ କରିଥିଲେ । ହର୍ମନପ୍ରୀତଙ୍କ ଅପରାଜିତ ବିସ୍ଫୋରକ ଶତକ ପାଇଁ ଦଳୀୟ ସ୍କୋର ୩୩୩ରେ ପହଞ୍ଚିଥିଲା । ଇଂଲଣ୍ଡକୁ ୩୩୪ ରନ ଟାର୍ଗେଟ ଦେଇଥିଲା ଭାରତ ।

୩୩୪ ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଇଂଲଣ୍ଡ । ଦଳୀୟ ସ୍କୋର ୪୭ରେ ୩ ୱିକେଟ ହରାଇଥିଲା ଇଂଲଣ୍ଡ । ତାମି ବ୍ୟୁମେଣ୍ଟ ୬, ଏମା ଲାମ୍ବ ୧୫ ଓ ଶେଫିଆ ୧ ରନ କରି ଆଉଟ ହୋଇଥିଲ । ତାନି ୱାଡ ଓ ଆଲିସ କ୍ୟାଲସି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୦୨ରେ ପହଞ୍ଚାଇଥିଲେ । କ୍ୟାପସି ୩୯ ରନ କରି ଆଉଟ ହୋଇଥିଲେ । ଏହାପରେ ଆମି ଜୋନ୍ସ ଓ ୱାଟଙ୍କ ମଧ୍ୟରେ ୬୫ ରନ ଭାଗିଦାରୀ ହୋଇଥିଲା । ୱାଟ ୬୫ ରନ କରି ଆଉଟ ହେବା ପରେ ଦଳ ବିପର‌୍ୟ୍ୟୟର ସାମ୍ନା କରିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ନେଇଥିଲେ ଭାରତୀୟ ବୋଲର । ଜୋନ୍ସ ୩୯ ରନ କରି ଆଉଟ ହୋଇଥିଲେ । ଚାର୍ଲି ଡିନ ଲଢୁଆ ବ୍ୟାଟିଂ କରିଥିଲେ ବି ଦଳୀୟ ସ୍କୋର ୨୪୫ ରନରେ ଅଟକି ଯାଇଥିଲା । ୪୪.୨ ଓଭରରେ ଅଲ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ରେଣୁକା ସିଂହ ୪ଟି ୱିକେଟ ଅକ୍ତିଆର କରିଥିଲେ ।