ଆଜିଠୁ ଯୁକ୍ତ ଦୁଇ ପାଠପଢା

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି(ଗୁରୁବାର) ଠାରୁ ଆରମ୍ଭ ହେବ ଏକାଦଶ ପାଠପଢା । ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ଆଜିଠାରୁ କଲେଜର କ୍ଲାସ ରୁମରେ ପାଠପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ । ଏନେଇ ସୋମବାର ଗଣମାଧ୍ୟମକୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଜି ଠାରୁ ୨୪ ତାରିଖ ଯାଏଁ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ କରାଯିବ । ଏହି କ୍ଲାସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକଙ୍କ ଦ୍ବାରା ପରିଚାଳିତ ହେବ ।

ପ୍ରଥମ କରି କଲେଜ ଆସିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ଓ ପାଠପଢା ବିଷୟରେ ଅବଗତ କରାଯିବ । ପ୍ରତ୍ୟେକ ବିଷୟର ଶିକ୍ଷକଙ୍କ ସହିତ ପରିଚିତ ହେବେ ଛାତ୍ରଛାତ୍ରୀ । ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧକ୍ଷଙ୍କୁ ଚିଠି ଲେଖିଛି ବିଭାଗ । ସିଲାବସ୍ ଉପଲବ୍ଧତା, ପରୀକ୍ଷା ପ୍ରଶ୍ନ ଢାଞ୍ଚା ବିଷୟରେ ସୂଚନା ଦିଆଯିବ । ରାଗିଂ ବିଷୟରେ ମଧ୍ୟ ଅବଗତ କରାଯିବ ସହ ନିୟମ ଏବଂ ନିୟମାବଳୀ ବିଷୟରେ ଅବଗତ କରାଯିବ । ରାଜ୍ୟରେ ଏବେ ସାଢ଼େ ୩ ଲକ୍ଷ ୭୨ ହଜାର ପିଲା ନାମ ଲେଖାଇ ସାରିଲେଣି, ତେଣୁ ଆଉ ବିଳମ୍ବ ନକରି କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି ।