ଏଏଫ୍‌ସି ୱିମେନ୍ସ ଏସିଆ କପ୍‌ରୁ ଓହରିଲା ଭାରତ

ମୁମ୍ବାଇ,ଏଜେନ୍ସି: ଏଠାରେ ଚାଲିଥିବା ଏଏଫ୍‌ସି ୱିମେନ୍ସ ଏସିଆ କପ୍‌ରୁ ଭାରତ ଓହରିଯାଇଛି। ଗତ ରବିବାର ଦଳ ତା’ର ଚାଇନିଜ୍ ତାଇପେଇ ବିପକ୍ଷ ମ୍ୟାଚ୍‌ରେ କରୋନା ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଦଳ ଉପଲବ୍ଧ କରାଇବାରେ ଅସମର୍ଥ ହେବାରୁ ଏହି ମୁକାବିଲାରୁ ଓହରିଯାଇଥିଲା। ଏହାର ଦିନକ ପରେ ଅର୍ଥାତ୍ ସୋମବାର ଦଳ ଟୁର୍ଣ୍ଣାମେଣ୍ଟ୍‌ର ଗାଇଡ୍‌ଲାଇନ୍ ଅନୁସାରେ ଓହରିଯାଇଛି। ଫଳସ୍ୱରୂପ ଏହି ପ୍ରତିଯୋଗିତାର କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚି ୨୦୨୩ ଫିଫା ବିଶ୍ୱକପ୍‌ରେ ଭାଗ ନେବା ସକାଶେ ଦଳ ଦେଖିଥିବା ସ୍ୱପ୍ନ ମଧ୍ୟ ମିଳେଇଯାଇଛି।

ଏ ସଂକ୍ରାନ୍ତରେ ଆୟୋଜକ ଏସିଆନ୍ ଫୁଟବଲ୍ କନଫେଡେରେସନ୍ (ଏଏଫ୍‌ସି) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ଚାଇନିଜ୍ ତାଇପେଇ ବିପକ୍ଷ ମ୍ୟାଚ୍‌ରେ ଭାରତ ଜଣେ ଗୋଲକିପରଙ୍କ ସମେତ ୧୩ ଜଣ ଖେଳାଳି ଉପଲବ୍ଧ କରାଇବାରେ ବିଫଳ ହୋଇଥିଲା। ତେଣୁ ଏଏଫ୍‌ସି ପ୍ରତିଯୋଗିତା ପାଇଁ ଉଦ୍ଦିଷ୍ଟ ୪.୧ ଧାରା ଅନୁସାରେ, ଭାରତ ଏହି ମ୍ୟାଚ୍ ବାତିଲ୍ ପାଇଁ ସମ୍ପୂର୍ଣ୍ଣ ଭାବେ ଦାୟୀ ହୋଇଥିବାରୁ ଦଳକୁ ଟୁର୍ଣ୍ଣାମେଣ୍ଟ୍‌ରୁ ଅପସରି ଯିବାକୁ ପଡ଼ିଛି ବୋଲି ଉକ୍ତ ବିବୃତିରେ କୁହାଯାଇଛି।

ଏଥିସହ ଭାରତ ଏହି ପ୍ରତିଯୋଗିତାରେ ଖେଳିଥିବା ମ୍ୟାଚ୍‌ର ଫଳାଫଳ ଓ ଏଥିରେ ହୋଇଥିବା ଗୋଲ୍‌କୁ ଅନ୍ତର୍ଜାତୀୟ ରାଙ୍କିଙ୍ଗ୍‌ରେ ସାମିଲ୍ କରାଯିବ ନାହିଁ ବୋଲି ମଧ୍ୟ ଏଏଫ୍‌ସି ସ୍ପଷ୍ଟ କରିଛି। ଭାରତ ଟୁର୍ଣ୍ଣାମେଣ୍ଟ୍‌ରୁ ଓହରିଯିବା ଫଳରେ ବର୍ତ୍ତମାନ ଗ୍ରୁପ୍‌-ଏ’ରେ କେବଳ ୩ଟି ଟିମ୍ କାଏମ ରହିଛନ୍ତି।