ପୁରୁଷ ବିଭାଗରେ ବାଜି ମାରିଲେ ଶାହିନ୍‌, ମନ୍ଧାନା ୱିମେନ୍ସ କ୍ରିକେଟର୍ ଅଫ୍ ଦି ଇୟର୍‌

ଦୁବାଇ,ଏଜେନ୍ସି: ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ବାମହାତୀ ଓପନର୍ ସ୍ମୃତି ମନ୍ଧାନା ଆଇସିସି କ୍ରିକେଟର୍ ଅଫ୍ ଦି ଇୟର୍ ମନୋନୀତ ହୋଇଛନ୍ତି। ସେ ୨୦୨୧ ବର୍ଷରେ ତିନିଟିଯାକ ଫର୍ମାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବାରୁ ଆଇସିସି ପକ୍ଷରୁ ଏହି ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଛି। ସେହିପରି ପୁରୁଷ ବିଭାଗରେ ପାକିସ୍ତାନୀ ବାମହାତୀ ପେସର୍ ଶାହିନ୍ ଶାହ ଆଫ୍ରିଦି ବାଜିମାତ୍ କରିଛନ୍ତି। ଅନ୍ୟପକ୍ଷରେ ମନ୍ଧାନା ଆଇସିସି ଟି-୨୦ ୱିମେନ୍ସ ଟିମ୍ ଅଫ୍ ଦି ଇୟର୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି। ଆଇସିସି ୱିମେନ୍ସ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ଦୌଡ଼ରେ ମନ୍ଧାନା ଇଂଲଣ୍ଡର ଟାମି ବିମଣ୍ଟ୍‌, ସାଉଥ୍ ଆଫ୍ରିକାର ଲିଜେଲ୍ ଲି ଓ ଆୟର୍ଲାଣ୍ଡ୍‌ର ଗାବି ଲୁଇସ୍‌ଙ୍କୁ ପଛରେ ପକାଇବା ସହ ରାଚେଲ୍ ହେହୋ ଫ୍ଲିଣ୍ଟ୍ ଟ୍ରଫି ହାସଲ କରିଥିବା ଆଇସିସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ମନ୍ଧାନା ଗତ ୨୦୧୮ରେ ୱିମେନ୍ସ ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଥିଲେ। ଫଳସ୍ୱରୂପ ମନ୍ଧାନା ପ୍ରଥମ ମହିଳା କ୍ରିକେଟର୍ ଭାବେ ଆଇସିସିର ଦୁଇଟି ଶୀର୍ଷ ପୁରସ୍କାର ଜିତିପାରିଛନ୍ତି। ପୂର୍ବରୁ ଭାରତୀୟ ମହିଳା ଦଳର ପେସର୍ ତଥା ମନ୍ଧାନାଙ୍କ ଦଳୀୟ ସାଥୀ ଝୁଲନ୍ ଗୋସ୍ୱାମୀ ଗତ ୨୦୦୭ରେ ଆଇସିସି ପ୍ଲେୟର୍ ଅଫ୍ ଦି ଇୟର୍ ପୁରସ୍କାର ହାତେଇଥିବା ବେଳେ ଏବେ ଟି-୨୦ ଫର୍ମାଟ୍‌ର ଉପଅଧିନାୟିକା ଦ୍ୱିତୀୟ ମହିଳା ଭାବେ ଏହି ପୁରସ୍କାର ଜିତିପାରିଛନ୍ତି। ଗତ ୨୦୨୧ରେ ଭାରତୀୟ ଦଳର ପ୍ରଦର୍ଶନ ଉଲ୍ଲେଖନୀୟ ନଥିଲେ ମଧ୍ୟ ମନ୍ଧାନା ତାଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରଖିପାରିଥିଲେ।

ସାଉଥ୍ ଆଫ୍ରିକା ବିପକ୍ଷ ସୀମିତ ଓଭର୍ ସିରିଜ୍‌ରେ ଯଦିଓ ଭାରତ ୮ଟିରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା, ତଥାପି ମନ୍ଧାନା ଉଭୟ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଦ୍ୱିତୀୟ ଦିନିକିଆରେ ଭାରତ ସଫଳତା ପୂର୍ବକ ୧୫୮ ରନ୍‌ର ଟାର୍ଗେଟ୍‌ର ପିଛା କରିଥିବା ବେଳେ ମନ୍ଧାନା ୮୦ ରନ୍‌ର ଯୋଗଦାନ ଦେଇଥିଲେ। ସେହିପରି ଟି-୨୦ ସିରିଜ୍‌ର ଚୂଡ଼ାନ୍ତ ମ୍ୟାଚ୍‌ରେ ସେ ୪୮ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ଏହାଛଡ଼ା ୨୫ ବର୍ଷୀୟା ମନ୍ଧାନା ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ରେ ପ୍ରଥମ ଇନିଂସରେ ୭୮ ରନ୍ କରିବା ସହ ଅଷ୍ଟ୍ରେଲିଆରେ ତାଙ୍କର ପ୍ରଥମ ଶତକ ଅର୍ଜନ କରିଥିଲେ।

ସେହିପରି ଇଂଲଣ୍ଡ ଟେଷ୍ଟ୍ ଅଧିନାୟକ ଗତ ବର୍ଷ ୧୫ଟି ମ୍ୟାଚ୍ ଖେଳି ୬ଟି ଶତକ ସହାୟତାରେ ୧ ହଜାର ୭୦୮ ରନ୍ କରିଥିବାରୁ ତାଙ୍କୁ ଆଇସିସି ଟେଷ୍ଟ୍ ପ୍ଲେୟର୍ ଅଫ୍ ଦି ଇୟର୍ ମନୋନୀତ କରାଯାଇଛି। ପାକିସ୍ତାନର ମହମ୍ମଦ ୟୁସୁଫ୍ ଓ ୱେଷ୍ଟ୍‌ଇଣ୍ଡିଜ୍‌ର ସାର ଭିଭିଆନ୍ ରିଚାର୍ଡ୍ସଙ୍କ ପରେ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ରୁଟ୍ ତୃତୀୟ ସର୍ବାଧିକ ଟେଷ୍ଟ୍ ରନ୍ କରିଥିଲେ। ଏହି ପୁରସ୍କାର ଦୌଡ଼ରେ ରୁଟ୍ ଭାରତର ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଶ୍ରୀଲଙ୍କାର ଦିମୁଥ୍ କରୁଣାରତ୍ନେ ଓ ନ୍ୟୁଜିଲାଣ୍ଡ୍‌ର କାଇଲ୍ ଜେମିସନ୍‌ଙ୍କୁ ପଛରେ ପକାଇପାରିଛନ୍ତି। ଆହୁରି ପାକିସ୍ତାନ ଅଧିନାୟକ ବାବର୍ ଆଜମ୍ ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍ ପୁରସ୍କାର ହାତେଇଛନ୍ତି। ମହିଳା ବିଭାଗରେ ଲି’ ଶ୍ରେଷ୍ଠ ଦିନିକିଆ ଓ ସାଉଥ୍ ଆଫ୍ରିକାର ମରାଇସ୍ ଏରାସମସ୍ ଶ୍ରେଷ୍ଠ ଅମ୍ପାୟାର୍ ବିବେଚିତ ହୋଇଛନ୍ତି।