ପ୍ରୋ ଲିଗ୍ ହକି: ଶିଳାନନ୍ଦଙ୍କ ଡବଲ୍ ଗୋଲ୍‌ରେ ଭାରତର ବଡ଼ ବିଜୟ

ପୋଚେଫଷ୍ଟ୍ରୁମ୍‌,ଏଜେନ୍ସି: ଚଳିତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍ ପୁରୁଷ ଇଭେଣ୍ଟ୍‌ରେ ରବିବାର ଭାରତ ୧୦-୨ର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଏଥିସହ ଦଳ ଫ୍ରାନ୍ସ ବିପକ୍ଷରେ ବରଣ କରିଥିବା ପରାଜୟ ପରେ ବିଜୟ ଧାରାକୁ ଫେରିଛି। ଏହି ମ୍ୟାଚ୍‌ରେ ହରମନପ୍ରୀତ୍ ସିଂହ ଚମତ୍କାର ପ୍ରଦର୍ଶନ ପୂର୍ବକ ୪ଟି ଗୋଲ୍ ଦେଇଥିଲେ। ସେ ୩୬ତମ ଓ ୫୨ତମ ମିନିଟ୍‌ରେ ତାଙ୍କର ପ୍ରଥମ ଦୁଇଟି ଗୋଲ୍ ଦେଇଥିବା ବେଳେ ଶେଷ ଦୁଇଟି ଗୋଲ୍ ୬୦ତମ ମିନିଟ୍‌ରେ ସ୍କୋର୍ କରିଥିଲେ।

ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ୨ଟି ଗୋଲ୍ ଦେଇଥିଲେ। ସେ ୨୭ତମ ମିନିଟ୍‌ରେ ଓ ୪୮ତମ ମିନିଟ୍‌ରେ ଏହି ଗୋଲ୍ ଦୁଇଟି ସ୍କୋର୍ କରିଥିଲେ। ଏହାଛଡ଼ା ପଞ୍ଚଦଶ ମିନିଟ୍‌ରେ ସୁରେନ୍ଦର କୁମାର ଦଳ ପକ୍ଷରୁ ପ୍ରଥମ ଗୋଲ୍ ଦେଇଥିଲେ। ୨୮ତମ ମିନିଟ୍‌ରେ ମନଦୀପ ସିଂହ, ୪୫ତମ ମିନିଟ୍‌ରେ ସୁମିତ୍ ଓ ୫୬ତମ ମିନିଟ୍‌ରେ ଶମଶେର୍ ସିଂହ ଗୋଲ୍ ଦେଇ ସ୍କୋର୍ ଶିଟ୍‌ରେ ନିଜ ନାମ ସାମିଲ୍ କରିଥିଲେ। ସେହିପରି ସାଉଥ୍ ଆଫ୍ରିକା ପକ୍ଷରୁ ଦ୍ୱାଦଶ ମିନିଟ୍‌ରେ ଡାନି,ଲ୍ ବେଲ୍ ଓ ୫୩ତମ ମିନିଟ୍‌ରେ କୋନ୍ନର୍ ବିଉଚାମ୍ପ୍ ଗୋଲ୍ ସ୍କୋର୍ କରିଥିଲେ।