ଏସିଆ କପ୍‌: ଆଜି ସୁପର ୪ ସୁପର ସୋ, ପାକିସ୍ତାନ ସହିତ ଲଢିବ ଭାରତ

ହାଇଦ୍ରାବାଦ: ଏସିଆ କପରେ ପୁଣି ଥରେ ମୁହାଁମୁହିଁ ହେବେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ ପାକିସ୍ତାନ । ଆଜି ( ରବିବାର ) ସୁପର ଫର ରାଉଣ୍ଡରେ ଉଭୟ ଦଳ ମଧ୍ୟରେ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ । ଭାରତ ଗ୍ରୁପ ଏରେ ଖେଳିଥିବା ଦୁଇଟି ମ୍ୟାଚରେ ପାକିସ୍ତାନ ଓ ହଂକଂକୁ ହରାଇ ସିଧାସଳଖ ସୁପର ଫୋର ରାଉଣ୍ଡରେ ପ୍ରବେଶ କରିଛି । ଭାରତ ଦୁଇଟି ମ୍ୟାଚ ବିଜୟ ସହ ସୁପର ୪ ଟେବୁଲ ପଏଣ୍ଟରେ ଚାରି ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ଗୋଟିଏ ମ୍ୟାଚର ବିଜୟ ସହ ଦୁଇ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଏପଟେ ପାକିସ୍ତାନ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ ରିଜଓ୍ୱାନ କହିଛନ୍ତି ଆମେ ପ୍ରସ୍ତୁତ ।

ଏସିଆ କପରେ ଭାରତ ପାକିସ୍ତାନ ଉଭୟ ପରସ୍ପର ମଧ୍ୟରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଉକ୍ତ ମ୍ୟାଚରେ ଭାରତକୁ ବିଜୟ ଦେବାରେ ଫାଷ୍ଟ ବୋଲର ମାନେ ସହଭାଗୀ ରହିଥିଲେ । ଭୁବନେଶ୍ବର କୁମାର ୨୬ ରନ ବ୍ୟୟରେ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ ରନରେ ବ୍ୟୟରେ ୩ଟି ୱିକେଟ ଅକ୍ତିଆର କରି ପାକିସ୍ତାନକୁ ୧୯.୫ ଓଭରରେ ୧୪୭ରନ ସହିତ ଅଲଆଉଟ କରିଥିଲେ । ସେହିପରି ବ୍ୟାଟିଂରେ ବିରାଟ କୋହଲି ୩୫, ହାର୍ଦ୍ଦିକ ପାଣ୍ଡ୍ୟା ୩୩*, ରବୀନ୍ଦ୍ର ଜାଡେଜା ୩୫ ରନ କରିଥିଲେ । ଶେଷ ଓଭରରେ ଦୁଇଟି ବଲ ବାକିଥାଇ ପାଣ୍ଡ୍ୟା ଛକା ମାରି ଦଳକୁ ଜିତାଇ ଥିଲେ ।

ହେଲେ ସୁପର ଫର ରାଉଣ୍ଡରେ ଦୁଇ ଦଳ ପକ୍ଷରୁ ପଲା ଭାରି ରହିଛି । ଉଭୟ ଦଳ ସୁପର ଫର ରାଉଣ୍ଡରେ ବିଜୟ ଅଭିଯାନ ମ୍ୟାଚ ଆରମ୍ଭ କରିବାକୁ ଚେଷ୍ଟା ଜାରି ରଖିବେ । ଏନେଇ ଟିମ ଇଣ୍ଡିଆ ପ୍ରଥମ ବ୍ୟାଟିଂ ଅର୍ଡର ଉପରେ ଅଧିକ ଫୋକସ କରିପାରେ । ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିବା ଦରକାର । ବିରାଟ ହଂକଂ ମ୍ୟାଚରେ ଅର୍ଦ୍ଧଶତକ ହାସଲ (୫୯)* ହାସଲ କରିଥିଲେ ମଧ୍ୟ ଆଜି ବଡ ଇନିଂସ ଖେଳିବା ଦରକାର । ସେହିପରି ରାହୁଲ ଏବଂ ରୋହିତ ଭଲ ପାଳି ଆରମ୍ଭ କରି ବଡ ଇନିଂସ ଖେଳିବାକୁ ସଂଘର୍ଷ ଜାରି ରଖିଛନ୍ତି । ଅନ୍ୟପଟେ ମଧ୍ୟକ୍ରମ ବ୍ୟାଟିଂ ଅର୍ଡର ଭରସାଯୋଗ୍ୟ ରହିଛି ।

ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ଦିନେଶ କାର୍ତ୍ତିକ, ଦୀପକ ହୁଡ୍ଡା ମଧ୍ୟକ୍ରମରେ ବ୍ୟାଟିଂ ଭାର ସମ୍ଭାଳି ଭରସାଯୋଗ୍ୟ ରହିଛନ୍ତି । ସେହିପରି ବୋଲିଂ କ୍ଷେତ୍ରରେ ଆଭେଷ ଖାନଙ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଛି । ହଂକଂ ବିପକ୍ଷରେ ୪ ଓଭର ବୋଲିଂରେ ୫୩ରନ ବ୍ୟୟ ଭାରତ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ସେପଟେ ଭୁବନେଶ୍ବର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହଙ୍କ ଉପରେ ୱିକେଟ ପାଇଁ ସମସ୍ତଙ୍କ ନଜର ରହିବ । ଭାରତର ସକ୍ରିୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିବା ପରେ ଭାରତକୁ ଶକ୍ତ ଝଟକା ଲାଗିଛି ।

ପାକିସ୍ତାନ ହଂକଂକୁ ୧୫୫ ରନରେ ପରାସ୍ତ କରିବା ପରେ ଦଳର ମନୋବଳ ଦୃଢ ଥିବା ନଜର ଆସିଛି । ପାକିସ୍ତାନର ବ୍ୟାଟିଂ ଫର୍ମ ମଜବୁତ ରହିଛି । ବାବର ଆଜମ ଦୁଇଟି ମ୍ୟାଚରେ ଆଖି ଦୃଶିଆ ସ୍କୋର କରି ପାରି ନଥିଲେ ମଧ୍ୟ ଫଖର ଜମାନ, ମହମ୍ମଦ ରିଜୱାନ, ଖୁସଦିନ ଶାହାଙ୍କର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି । ଏସିଆ କପରେ ପାକିସ୍ତାନର ବୋଲିଂ କ୍ଷେତ୍ର ଏପର୍ଯ୍ୟନ୍ତ ଚମତ୍କାର ରହିଛି ।