ଭୁଲରେ ମିସାଇଲ ପାକିସ୍ତାନ ପଳାଇଥିବା ନେଇ ଦୁଃଖ ପ୍ରକାଶ କଲା ଭାରତ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ପାକିସ୍ତାନ ସୀମାକୁ ଏକ ସୁପରସୋନିକ ମିସାଇଲ ଛଡ଼ା ଯାଇଥିବା ନେଇ ପାକିସ୍ତାନ ଆରୋପ ଲଗାଇଥିଲା । ଏହି ମିସାଇଲ ପାକିସ୍ତାନ ସୀମାର ପାଖାପାଖି ୧୨୪ କିମି ଦୂରରେ ଖସିଥିବା ନେଇ ପାକିସ୍ତାନ ଡିଫେନ୍ସ ସିଷ୍ଟମ ମଧ୍ୟ ଚିହ୍ନଟ କରିଥିଲା । ଆଉ ଏବେ ଏହାକୁ ନେଇ ଭାରତ ପକ୍ଷରୁ ଜବାବ ଦିଆଯାଇଛି ।
ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭୁଲବଶତଃ ମିସାଇଲ ପାକିସ୍ତାନ ସୀମାରେ ପଡ଼ିଲା । ଏହି ଘଟଣାକୁ ନେଇ ଆମେ ଦୁଃଖିତ । ମାମଲାର ଉଚ୍ଚସ୍ତରୀୟ ଯାଞ୍ଚର ଆଦେଶ ଦିଆଯାଇଛି । ତେବେ ମିସାଇଲରେ କୌଣସି ବିସ୍ଫୋରକ ନଥିବାରୁ କିଛି କ୍ଷତି ହୋଇନାହିଁ ।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ ଏହି ମିସାଇଲଟି ହରିୟାଣାର ସିର୍ସାରୁ ଛଡ଼ାଯାଇଥିଲା । ଏହା ରାଜସ୍ଥାନର ମହାଜନ ଫିଲ୍ଡ ଫାୟରିଂ ରେଞ୍ଜରେ ପଡ଼ିବାର ଥିଲା କିନ୍ତୁ ପାକିସ୍ତାନର ମିୟା ଚନ୍ନୁ ଅଞ୍ଚଳରେ ପଡ଼ିଥିଲା । ମିୟା ଚନ୍ନୁ ଅଞ୍ଚଳଟି ଆତଙ୍କବାଦୀ ସଂଗଠନ ‘ଜୈସ-ଏ-ମହମ୍ମଦ’ର ମୁଖ୍ୟ ମସୁଦ ଅଜହରର ବହାବଲପୁରସ୍ଥିତ ଘରଠୁ ମାତ୍ର ୧୬୦ କିମି ଦୂରରେ ଅବସ୍ଥିତ ।