ପ୍ରଥମ ଦିନିକିଆ: ଡ୍ୟୁସେନ୍‌ ଓ ବାଭୁମାଙ୍କ ଶତକ, ଭାରତ ପରାସ୍ତ

ପାର୍ଲ,ଏଜେନ୍ସି: ବୁଧବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବିଜୟୀ ହୋଇଛି ଘରୋଇ ଦକ୍ଷିଣ ଆଫ୍ରିକା। ଅଧିନାୟକ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କ ଶତକ ବଳରେ ଭାରତକୁ ୩୧ ରନ୍‌ରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି। ବାଭୁମା ଓ ଡ୍ୟୁସେନ୍‌ଙ୍କ ମଧ୍ୟରେ ମାରାଥନ୍ ଭାଗିଦାରୀ ବଳରେ ପ୍ରଥମେ ବ୍ୟାଟିଂକରି ଦକ୍ଷିଣ ଆଫ୍ରିକା ୪ ୱିକେଟରେ ୨୯୬ ରନ୍‌ କରିଥିଲା। ପରେ ଶିଖର ଧାୱନ, ବିରାଟ କୋହଲି ଓ ସାର୍ଦୁଳ ଠାକୁରଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମଧ୍ୟକ୍ରମ ବିପର୍ଯ୍ୟୟ ଯୋଗୁଁ ଭାରତ ୮ ୱିକେଟରେ ୨୬୫ ରନ୍‌ କରି ପାରିଥିଲା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶୁକ୍ରବାର ୨ୟ ଦିନିକିଆ ଖେଳାଯିବ।

୨୯୭ ରନ୍‌ ଲକ୍ଷ୍ୟରେ ଭାରତ ଓପ୍‌ନିଂ ଯୋଡ଼ିରେ ୪୬ ରନ୍‌ କରିଥିଲା। ବାମହାତି ଶିଖର ଧାୱନ ଆରମ୍ଭରୁ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ଅଧିନାୟକ ଭାବେ ଜୀବନର ପ୍ରଥମ ଦିନିକିଆ ମ୍ୟାଚ୍‌ରେ କେ.ଏଲ୍‌. ରାହୁଲ ୧୨ ରନ୍‌ କରି ପାରିଥିଲେ। ୨ୟ ୱିକେଟ ଭାଗିଦାରୀ ଭାରତ ପାଇଁ ସବୁଠାରୁ ଫଳପ୍ରଦ ହୋଇଥିଲା। ଶିଖର ଧାୱନ ଓ ବିରାଟ କୋହଲି ଦର୍ଶନୀୟ ସଟ୍‌ ଖେଳି ୨ୟ ୱିକେଟ ପାଇଁ ୧୭ ଓଭରରେ ୯୨ ରନ୍‌ ଯୋଡ଼ିଥିଲେ। ଧାୱନ ୮୪ ବଲ୍‌ରୁ ୧୦ଟି ଚୌକା ସହ ୭୯ ରନ୍‌ କରିଥିଲେ। ଏହାର ୩ ଓଭର ପରେ ବିରାଟ କୋହଲି ଆଉଟ୍‌ ହୋଇଯିବାରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ୧ ୱିକେଟରେ ୧୩୮ ରନ୍‌ କରିଥିବା ଭାରତ ପରବର୍ତ୍ତୀ ୭୬ ରନ୍‌ରେ ୭ଟି ୱିକେଟ ହରାଇଥିଲା। କୋହଲି ୬୩ ବଲ୍‌ରୁ ୩ଟି ଚୌକା ସହ ୫୧ ରନ୍‌ କରିଥିଲେ। ଋଷଭ ପନ୍ତ୍ ଓ ଶ୍ରେୟାସ ଆୟର ଦଳକୁ ନିରାଶ କରିଥିଲେ। ପନ୍ତ୍ ୧୬ ଓ ଶ୍ରେୟାସ ୧୭ ରନ୍ କରିଥିଲେ।

ଦିନିକିଆ ପଦାର୍ପଣରେ ଭେଙ୍କଟେଶ ଆୟର ୨ ରନ୍‌ କରିଥିଲେ। ସାର୍ଦୁଳ ଠାକୁର ସାହସିକ ବ୍ୟାଟିଂକରି ୪୩ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ଅପରାଜିତ ୫୦ ରନ୍‌ କରିଥିଲେ। ସାର୍ଦୁଳଙ୍କ ପ୍ରଥମ ଦିନିକିଆ ଅର୍ଦ୍ଧଶତକ କେବଳ ଭାରତର ପରାଜୟ ବ୍ୟବଧାନ ହ୍ରାସ କରି ପାରିଥିଲା। ଲୁଙ୍ଗି ଏନ୍‌ଗିଡି, ତାବ୍ରେଜ୍ ସାମ୍‌ସି ଓ ଆନ୍ଦିଲେ ଫେଲୁକ୍ବାୟୋ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାସି ଭାନ୍ ଡର୍ ଡ୍ୟୁସେନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନେଇଥିଲା। ୬୮ ରନ୍‌ରେ ଦକ୍ଷିଣ ଆଫ୍ରିକା ୩ଟି ୱିକେଟ ହରାଇଥିଲା। ଫର୍ମରେ ଥିବା ଓପ୍‌ନର ଜାନେମାନ୍ ମାଲାନ୍ ୬ ରନ୍‌କରି ବିଦାୟ ନେଇଥିଲେ। ଅଭିଜ୍ଞ କ୍ବିଣ୍ଟନ ଡି କକ୍ ଧୈର୍ଯ୍ୟର ସହ ଖେଳି ୨ଟି ଚୌକା ସହ ୨୭ ରନ୍‌ କରିଥିଲେ। ଐଡେନ ମାର୍କରାମ ୪ ରନ୍‌ରେ ରନ୍‌ଆଉଟ ହୋଇଥିଲେ।

ଏହାପରେ ତେମ୍ବା ବାଭୁମା ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ ମାରାଥନ୍ ଭାଗିଦାରୀ କରିଥିଲେ। ଦୁହେଁ ସେଟ୍‌ ହେବା ପରେ ସଟ୍‌ ଖେଳିବା ଆରମ୍ଭ କରିଥିଲେ। ବାଭୁମା-ଡ୍ୟୁସେନ୍‌ ୪ର୍ଥ ୱିକେଟ ପାଇଁ ୩୦.୩ ଓଭରରେ ୨୦୪ ରନ୍‌ ଯୋଡ଼ିବାରୁ ଦକ୍ଷିଣ ଆଫ୍ରିକା ୨୯୬ ରନ୍‌ ସ୍କୋର୍‌ରେ ପହଞ୍ଚି ପାରିଥିଲା। ବାଭୁମା ଜଗିରଖି ଦୁର୍ବଳ ବଲ୍‌କୁ ପ୍ରହାର କରିଥିଲେ। ଭାନ୍ ଡର୍ ଡ୍ୟୁସେନ୍‌ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ପଦାର୍ପଣ ଦିନିକିଆରେ ଆୟରଲାଣ୍ଡ ବିପକ୍ଷରେ ଶତକ ଅର୍ଜନ କରିଥିବା ତେମ୍ବା ବାଭୁମା ଏହି ମ୍ୟାଚ୍‌ରେ ଜୀବନର ୨ୟ ଦିନିକିଆ ଶତକ ହାସଲ କରିଥିଲେ। ବାଭୁମା ୧୪୩ ବଲ୍‌ରୁ ୮ଟି ଚୌକା ସହ ୧୧୦ ରନ୍‌ କରିଥିଲେ। ବାଭୁମାଙ୍କ ପରି ଭାନ୍ ଡର ଡ୍ୟୁସେନ୍ ମଧ୍ୟ ୨ୟ ଦିନିକିଆ ଶତକ ହାସଲ କରିଥିଲେ। ବିସ୍ଫୋରକ ବ୍ୟାଟିଂକରି ଭାନ୍ ଡର୍ ଡ୍ୟୁସେନ୍ ୯୬ ବଲ୍‌ରୁ ୪ଟି ଛକା ଓ ୯ଟି ଚୌକା ସହ ୧୨୯ ରନ୍‌କରି ଅପରାଜିତ ଥିଲେ। ଯଶପ୍ରୀତ ବୁମ୍‌ରା ୨ଟି ୱିକେଟ ନେଇଥିଲେ।