ଦୁବାଇ,ଏଜେନ୍ସି: ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟମ୍ୟାଚ୍ର ଉଭୟ ଇନିଂସରେ ୭୯ ଓ ୨୯ ରନ୍ କରିଥିବା ବିରାଟ କୋହଲି ଆଇସିସି ଟେଷ୍ଟ ମାନ୍ୟତାରେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ୯ମ ସ୍ଥାନରେ ଥିବା କୋହଲି ୭ମ ସ୍ଥାନକୁ ଉଠିଛନ୍ତି। ଉକ୍ତ ମ୍ୟାଚ୍ର ୨ୟ ଇନିଂସରେ ଅପରାଜିତ ଶତକ ହାସଲ କରିଥିବା ଭାରତୀୟ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ ଋଷଭ ପନ୍ତ୍ ୧୦ଟି ସ୍ଥାନର ଉନ୍ନତି ଘଟାଇଛନ୍ତି। ଦିଲ୍ଲୀର ପନ୍ତ୍ ଏବେ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ୧୪ଶ ସ୍ଥାନରେ ରହିଛନ୍ତି। ପୁଣି ଉକ୍ତ ଟେଷ୍ଟରେ ମୋଟ ୬ଟି ୱିକେଟ ନେଇଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଟେଷ୍ଟ ବୋଲରଙ୍କ ମାନ୍ୟତାର ଶୀର୍ଷ-୧୦କୁ ଫେରିଛନ୍ତି।
ଭାରତ ବିପକ୍ଷରେ ଉକ୍ତ ୩ୟ ଟେଷ୍ଟମ୍ୟାଚ୍ର ଉଭୟ ଇନିଂସରେ ୭୨ ଓ ୮୨ ରନ୍ କରିଥିଲେ ଦକ୍ଷିଣ ଆଫ୍ରିକାର କିଗାନ୍ ପିଟରସନ। ପ୍ଲେୟର ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ହୋଇଥିବା ଦକ୍ଷିଣ ଆଫ୍ରିକାର କିଗାନ୍ ପିଟରସନ ୬୮ଟି ସ୍ଥାନର ଉନ୍ନତି ଘଟାଇଛନ୍ତି। ପିଟରସନ୍ ଏବେ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ୩୩ତମ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର ତେମ୍ବା ବାଭୁମା ୭ଟି ସ୍ଥାନର ଉନ୍ନତି ଘଟାଇ ୨୮ତମ ଓ ରାସି ଭାନ୍ ଡର୍ ଡ୍ୟୁସେନ୍ ୧୨ଟି ସ୍ଥାନର ଉନ୍ନତି ଘଟାଇ ୪୩ତମ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ ବୋଲିଂ ମାନ୍ୟତାରେ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୨ଟି ସ୍ଥାନର ଉନ୍ନତି ଘଟାଇ ୩ୟ ସ୍ଥାନରେ ପହଞ୍ଚିଥିବା ବେଳେ ଲୁଙ୍ଗି ଏନ୍ଗିଡି ୬ଟି ସ୍ଥାନ ଉପରକୁ ଉଠି ୨୧ତମ ସ୍ଥାନରେ ପହଞ୍ଚିଛନ୍ତି।