ଆଜିଠୁ ଭୁବନେଶ୍ୱର ଓ କଟକରେ ପ୍ଲାଜମା ଥେରାପି କରୋନା ଚିକିତ୍ସା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜିଠୁ ଭୁବନେଶ୍ୱର ଓ କଟକରେ ପ୍ଲାଜମା ଥେରାପି ପଦ୍ଧତିରେ କରୋନା ଚିକିତ୍ସା ଆରମ୍ଭ। ଭୁବନେଶ୍ୱରର ସମ୍, କିମସ ହସ୍ପିଟାଲ ଓ କଟକର ଅଶ୍ୱିନୀ ମେଡିକାଲରେ ଏହି ଚିକିତ୍ସା କରାଯିବ। ନୋଡାଲ ସେଣ୍ଟର ଭାବେ କାମ କରିବ ଏସସିବି ମେଡିକାଲ। ଏହି କ୍ରମରେ ଅଧିକ ରୋଗୀଙ୍କୁ ସୁସ୍ଥ କରାଯାଇପାରିବ ଏବଂ ଅନେକ ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି କୁହାଯାଇଛି। ଏହାକୁ ଆଜି ମୁଖ୍ୟମନ୍ତ୍ରୀ ବିଧିବଦ୍ଧ ଭାବେ ଶୁଭାରମ୍ଭ କରିବେ। କୋଭିଡ଼ରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କଠାରୁ ରକ୍ତ ସଂଗ୍ରହ କରାଯିବ। ଆଉ ସେହି ରକ୍ତକୁ ପ୍ଲାଜମାରେ ପରିବର୍ତ୍ତନ କରି କରୋନା ରୋଗୀଙ୍କ ଚିକିତ୍ସା କରାଯିବ।

ତେବେ କରୋନାରେ ସୁସ୍ଥ ହେବାର ୪ ସପ୍ତାହ ବା ୨୮ ଦିନ ପରେ ହିଁ ଉକ୍ତ ରୋଗୀଙ୍କଠାରୁ ପ୍ଲାଜମା ପାଇଁ ରକ୍ତ ସଂଗ୍ରହ କରାଯାଇପାରିବ। ରକ୍ତଦାନ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କର ଆଣ୍ଟିବଡି ଟେଷ୍ଟ ଭୁବନେଶ୍ୱରରେ ଥିବା ଆଇସିଏମଆରରେ ପରୀକ୍ଷା କରାଯିବ। ଆଉ ସେଠାରୁ ରିପୋର୍ଟ ମିଳିବା ପରେ ତାଙ୍କଠାରୁ ରକ୍ତ ସଂଗ୍ରହ କରାଯିବ।

ତେବେ ଏହି ରକ୍ତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି, ଗର୍ଭବତୀ ମହିଳାଙ୍କ ଠାରୁ ସଂଗ୍ରହ କରାଯାଇପାରବ ନାହିଁ। ଏମାନଙ୍କର ରକ୍ତରେ ଏଚଏଲଏ ନାମକ ଏକ ଆଣ୍ଟବଡି ରହିଥାଏ ଯାହାକି କରୋନା ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ। ସେଥିପାଇଁ ସେମାନଙ୍କର ରକ୍ତ ପ୍ଲାଜମା ପାଇଁ ନିଆଯାଇପାରିବ ନାହିଁ।