ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ଆଫଗାନିସ୍ତାନକୁ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଛି ଭାରତ। ଏହି ସହାୟତା ସାମଗ୍ରୀ ମଧ୍ୟରେ ମୁଖ୍ୟତଃ ୫ ଲକ୍ଷ କୋଭିଡ ଟିକାର ଡୋଜ ଓ ଅନ୍ୟାନ୍ୟ ଚିକିତ୍ସା ସହାୟତା ସାମଗ୍ରୀ ମଧ୍ୟ ରହିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପୂର୍ବର ଭାରତ ତାର ପ୍ରଥମ ସହାୟତା ପ୍ୟାକେଜ ପଠାଇ ସାରିଥିବାବେଳେ ଏହା ହେଉଛି ଦ୍ବିତୀୟ କିସ୍ତି।

ଏହି ସହାୟତା ସାମଗ୍ରୀ କାବୁଲରେ ଥିବା ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ବ୍ୟବହାର କରାଯାଇପାରିବ। ଗୃହ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଉତ୍କଟ ମାନବିକ ସଙ୍କଟ ଲାଗି ରହିଥିବାବେଳେ ଭାରତ ଏକ ମିଲିୟନ କୋଭିଡ ଟିକା, ଅନ୍ୟାନ୍ୟ ଚିକିତ୍ସା ସହାୟତା ସାମଗ୍ରୀ ସହ ଫୁଡଗ୍ରେନ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲା।

ଗତମାସ ପ୍ରାରମ୍ଭରେ ଆଫଗାନିସ୍ତାନକୁ ୧.୬ ଟନର ଚିକିତ୍ସା ସହାୟତା ସାମଗ୍ରୀ ପ୍ରେରଣ କରିଥିଲା ଭାରତ। ଏହି ମେଡିକାଲ ସାମଗ୍ରୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରିଆରେ ଆଫଗାନିସ୍ତାନକୁ ପ୍ରଦାନ କରାଯାଇଥିଲା। ସେହିପରି ଆଗାମୀ ସପ୍ତାହରେ ମଧ୍ୟ ଭାରତ ପକ୍ଷରୁ ଏହି ସହଯୋଗ ପ୍ରକ୍ରିୟା ଜାରି ରହିବ। ଅବଶିଷ୍ଟ ଚିକିତ୍ସା ସହାୟତା ସାମଗ୍ରୀ ସହ ଗହମ ପଠାଯିବ। ଭାରତ ସରକାର ଜାତିସଂଘ ଏଜେନ୍ସି ଗୁଡିକ ସହ ନିରନ୍ତର ଯୋଗାଯୋଗରେ ରହିଛି ଓ ଜାତିସଂଘ ମାଧ୍ୟମରେ ଏହି ସହାୟତା ପ୍ରକ୍ରିୟା ଜାରି ରହିବା ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛି।

ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନରେ ଭୟଙ୍କର ହିଂସା ପରେ ତାଲିବାନ ଦେଶର ଶାସନ କ୍ଷମତା ହାତେଇବାରେ ସଫଳ ହୋଇଥିଲା। ତେବେ ତାଲିବାନ ଶାସନାଧୀନ ଆଫଗାନିସ୍ତାନରେ ହିଂସା, ଆର୍ଥିକ ତଥା ମାନବିକ ସଙ୍କଟ ଉତ୍କଟ ରୂପ ନେବାରେ ଲାଗିଛି। ତେଣୁ ଆଫଗାନିସ୍ତାନ ପାଇଁ ଜରୁରୀ ସହାୟତା ଯୋଗାଣ ଦିଗରେ ଗୁରୁତ୍ବ ଦେଇଥିଲା ଜାତିସଂଘ। ପରେ ଏକାଧିକ ଦେଶ ମଧ୍ୟ ସହଯୋଗର ହାତ ବଢାଇଥିଲେ। ଏହି କ୍ରମରେ ଭାରତ ମଧ୍ୟ ସାମିଲ ହୋଇଥିଲା।