୨ୟ ଟେଷ୍ଟର ୩ୟ ଦିନ: ନ୍ୟୁଜିଲାଣ୍ଡ ସାମ୍ନାରେ ଭାରତ ରଖିଲା ୫୪୦ ରନ୍ ଟାର୍ଗେଟ

ମୁମ୍ବାଇ,ଏଜେନ୍ସି: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟେଷ୍ଟରେ ୨୭୬/୭ରେ ଭାରତ ଦ୍ୱିତୀୟ ଇଂନିସ ଘୋଷଣା କରିଛି। ଏଥିସହ ୫୪୦ ରନର ବିଶାଳ ବିଜୟ ଲକ୍ଷ୍ୟ କିୱି ଟିମ ସାମ୍ନାରେ ରଖିଛି ଟିମ ଇଣ୍ଡିଆ।

ପ୍ରଥମ ଇଂନିସରେ ଶତକୀୟ ଇଂନିସ ଖେଳିଥିବା ମୟଙ୍କ ଅଗ୍ରୱାଲ ଦ୍ବିତୀୟ ଇଂନିସରେ ମଧ୍ୟ କମାଲ କରିଥିଲେ। ଅଗ୍ରୱାଲ ସର୍ବାଧିକ ୬୨, ଚେତେଶ୍ବର ପୂଜାରା ୪୭ ଓ ଶୁଭମନ ଗିଲ୍‌ ମଧ୍ୟ ୪୭ ରନ୍‌ ସଂଗ୍ରହ କରିଥିଲେ। ଅକ୍ଷର ପଟେଲ ୨୬ ବଲ୍‌ରୁ ୩ଟି ଚୌକା ଓ ୪ଟି ଛକା ସହାତାରେ ୪୧ ରନର ଧୂଆଁଧାର ଇଂନିସ ଖେଳିଥିଲେ। ଭ୍ରମଣକାରୀ ଟିମ ପାଇଁ ବାମହାତୀ ସ୍ପିନର ଏଜାଜ ପଟେଲ ପ୍ରଥମ ଇଂନିସରେ ଐତିହାସିକ ୧୦ ୱିକେଟ ହାସଲ ପରେ ଦ୍ବିତୀୟ ଇଂନିସରେ ୪ଟି ଶିକାର କରିଥିଲେ।

ମ୍ୟାଚ୍‌ରେ ୨୨୫/୧୪ ବୋଲିଂ ପ୍ରଦର୍ଶନ ସହ ଏଜାଜ ବର୍ତ୍ତମାନ ଗୋଟିଏ ଟେଷ୍ଟରେ ଭାରତ ବିପକ୍ଷରେ ସର୍ବୋତ୍ତମ ବୋଲିଂ ପ୍ରଦର୍ଶନ ଥିବା ବୋଲର ହେବାର ରେକର୍ଡ କରିଛନ୍ତି। ଲଞ୍ଚ୍‌ ବ୍ରେକ୍‌ ସୁଦ୍ଧା ଭାରତୀୟ ଟିମ ୧୪୨ ରନ୍‌ରେ ଦୁଇଟି ୱିକେଟ ହରାଇଥିଲା। ୬୯ ରନ୍‌ର ଅସମାପ୍ତ ସ୍କୋର୍‌ରୁ ତୃତୀୟ ଦିନ ଘରୋଇ ଟିମ ଖେଳ ଆରମ୍ଭ କରିଥିଲା। ତେବେ ପ୍ରଥମ ସେସନରେ ଉଭୟ ଓପନର ମୟଙ୍କ ଅଗ୍ରୱାଲ(୬୨) ଓ ପୂଜାରାଙ୍କ ୱିକେଟ ହରାଇଥିଲା। ନ୍ୟୁଜିଲାଣ୍ଡକୁ ପ୍ରଥମ ଇଂନିସରେ ମାତ୍ର ୬୨ ରନ୍‌ରେ ଅଲଆଉଟ୍‌ କରିବା ପରେ ଭାରତୀୟ ଟିମ ଫଲୋଅନ ପରିବର୍ତ୍ତେ ୨୬୩ ରନ୍‌ର ବିଶାଳ ପ୍ରଥମ ଇଂନିସ ଅଗ୍ରଣୀ ହାସଲ କରିଥିଲା।