ବିଦେଶୀ କୁଟନୈତିଜ୍ଞଙ୍କୁ ମାଗଣାରେ କରୋନା ଟିକା ଦେବ ଭାରତ, ଅଫର ପାଇଲା ପାକିସ୍ତାନ

ନୂଆଦିଲ୍ଲୀ,ଏଜେନ୍ସି: ନିଜର ବସୁଧୈବ କୁଟୁମ୍ବକମ ସଂସ୍କୃତି ଆଧାରରେ ଭାରତ ନିୟମିତ ଭାବେ ବିଭିନ୍ନ ଦେଶକୁ କରୋନା ଟିକା ପଠାଇ ଏହି ବିପଦପୂର୍ଣ୍ଣ ଭାଇରସରୁ ବଞ୍ଚାଇବାକୁ ସହଯୋଗ କରିଆସୁଛି। ନିଜର ଏହି ଉଦ୍ୟମକୁ ବଢ଼ାଇବା ପାଇଁ ଭାରତ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି। ଭାରତ ଏବେ ଦିଲ୍ଲୀରେ ମୁତୟନ ଥିବା ସମସ୍ତ ଦେଶର ବିଦେଶୀ କୁଟନୈତିଜ୍ଞଙ୍କୁ ମାଗଣାରେ କରୋନା ଟିକାକରଣ କରିବାକୁ ଯାଉଛି। ଏହି ଟିକାକରଣରେ ଅଂଶଗ୍ରହଣ କରିବାକୁ ପାକିସ୍ତାନର କୁଟନୈତିଜ୍ଞକୁ ଭାରତ ଅଫର ଦେଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନ ତରଫରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ। ଭାରତ ଏହା ପୂର୍ବରୁ କରୋନା ଭାଇରସରୁ ବର୍ତ୍ତିବା ଲାଗି ଦିଲ୍ଲୀରେ ମୁତୟନ କୁଟନୈତିଜ୍ଞଙ୍କ ପର୍ଯ୍ୟନ୍ତ ନିଜର କଥାକୁ ପହଞ୍ଚାଇଛି। ଭାରତ ଡିସେମ୍ବରରେ ୫୦ରୁ ଅଧିକ ବିଦେଶ କୁଟନୈତିଜ୍ଞଙ୍କୁ ହାଇଦ୍ରାବାଦରେ କରୋନା ଟିକା ଉତ୍ପାଦନ କରୁଥିବା ୨ଟି କମ୍ପାନୀକୁ ଗସ୍ତ କରାଇଥିଲା।

ସେହି ସମୟରେ ବିଦେଶୀ କୁଟନୈତିଜ୍ଞ ଭାରତ ବାୟୋଟେକ ଓ ବାୟୋଲୋଜିକାଲ ଇ କମ୍ପାନୀରେ କରୋନା ଟିକା ଉତ୍ପାଦନ ଦେଖିଥିଲେ। ଏହି କୁଟନୈତିଜ୍ଞଙ୍କୁ କରୋନା ଟିକାର ଉତ୍ପାଦନରେ ଭାରତର ଉଦ୍ୟମ ଓ କ୍ଲିନିକାଲ ପରୀକ୍ଷା ସମ୍ପର୍କରେ ଅବଗତ କରାଯାଇଥିଲା।