ବଲାଙ୍ଗିର,ଏନ୍ଏନ୍ଏସ୍: ସଂଯୁକ୍ତ କିସାନ ମୋର୍ଚ୍ଚାର ଭାରତ ବନ୍ଦ ଡାକରାକୁ ଆସନ୍ତା ୨୭ ତାରିଖରେ ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ଜୋରଦାର ଭାବେ ପାଳନ କରଯିବ। ନବନିର୍ମିତ ମିଳିତ କୃଷକ ସଂଗଠନର ନେତୃତ୍ୱକ୍ରମେ ଜିଲ୍ଲାରେ ଦୋକାନ ବଜାର ଓ ଗାଡ଼ିମୋଟର ଚଳାଚଳ ବନ୍ଦ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ କୃଷକ ସଂଗଠନ ସୂଚନା ଦେଇଛି। ତେବେ ଏହି ଆନ୍ଦୋଳନରେ ସମସ୍ତ ଅତ୍ୟାବଶକୀୟ ସାମଗ୍ରୀ ଓ ସେବାକୁ ବାଦ ଦିଆଯିବ ବୋଲି ସଂଗଠନ ସ୍ପଷ୍ଟ କରିଛି। କେନ୍ଦ୍ରର ମୋଦୀ ସରକାର କରୋନା ଆଳରେ ହଠାତ କୃଷି ବିଲ ପାସ କରି ଦେଇଥିଲେ। ଏହାକୁ ଚାଷୀକୁଳ ରୋଖଠୋକ ଭାବେ ପ୍ରତ୍ୟଖ୍ୟାନ କରିବା ସହ ଫେରାଇ ନେବାକୁ ଅନ୍ଦୋଳନ କରିଥିଲେ। ସଂଯୁକ୍ତ କିସାନ ମୋର୍ଚ୍ଚା ତରଫରୁ ଗତ ୯ମାସ ଧରି ଏହି ଆନ୍ଦୋଳନ ଚାଲୁ ରହିଛି। ଯେଉଁଥିରେ ଏଯାଏଁ ୭୦୦ରୁ ଅଧିକ କୃଷକ ନିଜର ପ୍ରାଣବଳୀ ଦେଇ ସାରିଛନ୍ତି। ଏହାସତ୍ୱେ କେନ୍ଦ୍ର ସରକାର କୃଷକଙ୍କ ଗୁହାରି ଶୁଣିବା ପରିବର୍ତ୍ତେ ନିଜ ପୁଞ୍ଜିପତି ମିତ୍ରଙ୍କ ହାତରେ ଚାଷୀକୁଳଙ୍କ ଭବିଷ୍ୟତକୁ ଟେକି ଦେଇଛନ୍ତି। କରୋନା ମାମଲା କମିବା ପରେ ଏବେ ଆମ ଅଞ୍ଚଳର ଚାଷୀମାନେ ଏହି କଳା କୃଷି ଆଇନ ବିରୁଦ୍ଧରେ ଚେତିଛନ୍ତି।
ସେହିପରି ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରିବା ସହିତ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ କରିବାକୁ ସଂଗଠନ ଦାବୀ କରିଛି। ଏଥିସହିତ ଚାଷୀକୁଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ସର୍ବଭାରତୀୟ ବନ୍ଦକୁ ନବୀନ ସରକାର ମଧ୍ୟ ସମର୍ଥନ କରିବାକୁ ସଂଗଠନ ଆହ୍ୱାନ ଦେଇଛି। ଆଜିର ଏହି କାର୍ଯ୍ୟକ୍ରମରେ ମିଳିତ କୃଷକ ସଂଗଠନ ପକ୍ଷରୁ ଚାଷୀନେତା ଜ୍ୟୋତି ପ୍ରଧାନ, ଚଗଲା ପରିଚ୍ଛା, ଆକାଶ ମିଶ୍ର, ଅରୁଣ ମିଶ୍ର, ମୃତ୍ୟଞ୍ଜୟ ମିଶ୍ର ଓ ରାମ ନାରାୟଣ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ।