ରାୟଗଡ଼ା,ଏନ୍ଏନ୍ଏସ୍: ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ଼ ଶାଖା ତରଫରୁ ଦିଆଯାଇଥିବା ବନ୍ଦର ପ୍ରଭାବ ଆଜି ରାୟଗଡ଼ ସହରରେ ଦେଖିବାକୁ ମିଳିଛି । ଏବଂ ମଣିପୁର ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ସହିତ ନଗ୍ନ କରି ପ୍ୟାରେଡ୍ କରାଇବା ପ୍ରତିବାଦରେ ଆଜି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ କପିଳାସ ଛକରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ଼ର ସଦସ୍ୟମାନେ ଟାୟାର ଜାଳି ରାସ୍ତା ଆବରୋଧ କରିଥିଲେ । ଫଳରେ ରାୟଗଡ଼ ଦେଇ କୋରାପୁଟ ଏବଂ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୩୨୬ ଉଭୟ ପାର୍ଶ୍ୱରେ ସହସ୍ରାଧିକ ଗାଡ଼ି ଅଟକି ରହିଥିଲା । ଅନ୍ୟପଟେ ସହର ସାରା ବୁଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଦସ୍ୟମାନେ ଦୋକାନ ବଜାର ବନ୍ଦ କରିବାକୁ ନିବେଦନ କରିବା ଯୋଗୁ କିଛି ଅଞ୍ଚଳରେ ମଧ୍ୟ ଏହାକୁ ପାଳନ କରାଯାଇଥିଲା । ବିଶେଷ କରି ରାୟଗଡ଼ାରୁ ଗୁଣପୁର , ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବନେଶ୍ୱରକୁ ବସ ଚଳାଚଳ ଦିନରେ ସଂପୂର୍ଣ୍ଣ ବନ୍ଦ ରହିଥିଲା । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ସଦସ୍ୟମାନେ କପିଳାସ ଛକରେ ରାସ୍ତା ଅବରୋଧ କରିଥିଲେ । କେବଳ ରୋଗୀସେବା ପାଇଁ ଆମ୍ବୁଲାନ୍ସ ଏବଂ ସ୍କୁଲ ପିଲାଙ୍କ ବସକୁ ଛଡ଼ା ଯାଇଥିଲା । ଯଦି କେନ୍ଦ୍ର ସରକାର ଦାବୀ ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ରାୟଗଡ଼ ସମ୍ପାଦକ ପ୍ରୀତମ ଖରା କହିଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ସହରର କପିଳାସ ଛକଠାରେ ଏକ ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିଲା ।