ମହିଳା ଏସିଆ କପ୍‌: ୫୯ ରନରେ ବାଂଲାଦେଶକୁ ହରାଇଲା ଭାରତ

ହାଇଦ୍ରାବାଦ,ଏଜେନ୍ସି: ମହିଳା ଏସିଆ କପରେ ଖେଳାଯାଇଥିବା ଲିଗ ମ୍ୟାଚରେ ଭାରତର ଦମଦାର ବିଜୟ । ଆଜି (ଶନିବାର) ଖେଳାଯାଇଥିବା ମ୍ୟାଚରେ ଭାରତ ୫୯ ରନରେ ବାଂଲାଦେଶ ହରାଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶକୁ ୧୬୦ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୦୦ ରନ କରିଥିଲା । ସେପଟେ ଦମଦାର ଅର୍ଦ୍ଧଶତକ ହାସଲ କରିଥିବା ସେଫାଳି ବର୍ମା ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଅଧିନାୟିକା ସ୍ମୃତି ମାନ୍ଧନା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଓପନର ସେଫାଳି ବର୍ମାଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୫୯ ରନ କରିଥିଲା । ସେଫାଳି ବର୍ମା ଓ ଅଧିନାୟିକା ସ୍ମୃତି ମାନ୍ଧନା ଓପନିଂ ପାଇଁ ଆସିଥିଲେ । ଉଭୟଙ୍କ ପାର୍ଟନରସିପରେ ଭାରତ ୧୨ ଓଭରରେ ୯୬ ରନ ସଂଗ୍ରହ କରିଥିଲା । ସ୍ମୃତି ମାନ୍ଧନା ୩୮ ବଲରୁ ୬ଟି ଚୌକା ସହିତ ୪୭ ରନର ଇନିଂସ ଖେଳି ଆଉଟ ହୋଇଥିଲେ ।

ସେଫାଳି ବର୍ମା ୪୪ ବଲରୁ ୫ଟି ଚୌକା ଏବଂ ୨ଟି ଛକା ସହିତ ୫୫ ରନର ଦମଦାର ଇନିଂସ ଖେଳିଥିଲେ । ସେହିପରି ଜେମିମା ରେଡ୍ରିଗସ ୨୪ ବଲରୁ ୪ଟି ଛକା ସହିତ ୩୫ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି । ରିଚା ଘୋଷ ୪ ରନ, ଦିପ୍ତି ଶର୍ମା ୧୦ ରନ୍‌ କରି ଆଉଟ ହୋଇଥିଲେ ।

ସେପଟେ ୧୬୦ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବାଂଲାଦେଶ । ହେଲେ ଭାରତୀୟ ବୋଲରଙ୍କ ଆଗରେ ଫେଲ ମାରିଥିଲେ ବାଂଲାଦେଶ ବ୍ୟାଟର । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୦୦ ରନ ବାଂଲାଦେଶ । ଅଧିନାୟିକା ନିଗାର ସୁଲତାଲାନା ସର୍ବାଧିକ ୩୬ ରନର ଇନିଂସ ଖେଳିଥିଲେ । ସେପଟେ ଦିପ୍ତି ଶର୍ମା ଏବଂ ସେଫାଳି ବର୍ମା ୨ ୱିକେଟ ନେଇଥିବା ବେଳେ ରେନୁକା ସିଂହ ଏବଂ ସ୍ନେହା ରଣା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।