ଭାରତ-ଇଂଲଣ୍ଡ ଟେଷ୍ଟ: ଆଜି ପ୍ରଥମ ମୁକାବିଲା, ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ନଟିଂହାମ୍‌,ଏଜେନ୍ସି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଟେଷ୍ଟ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ସମୟ ଅପରାହ୍ଣ ସାଢ଼େ ୩ଟାରେ ଏହି ମ୍ୟାଚ ଖେଳାଯିବ। ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳାଯିବାକୁ ଥିବା ବହୁପ୍ରତିକ୍ଷୀତ ମ୍ୟାଚ୍ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ମ୍ୟାଚ୍ ଜିତି ଅଗ୍ରଣୀ ରହିବାକୁ ଉଦ୍ୟମ କରିବ ଭାରତୀୟ ଟିମ୍।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୧୯୩୨ ମସିହାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ସେହିଦିନ ଠାରୁ ଏପର୍ଯ୍ୟନ୍ତ ମୋଟ ୩୪ଟି ଦ୍ୱିପାକ୍ଷି ଟେଷ୍ଟ ଶୃଙ୍ଖଳା ଖେଳାଯାଇଛି। ଏଥିରେ ଇଂଲଣ୍ଡ ୧୯ଟି ଓ ଭାରତ ୧୧ଟି ଜିତିଛି। ୪ଟି ଶୃଙ୍ଖଳାର ରେଜଲ୍ଟ ବାହାରି ନାହିଁ । ଇଂଲଣ୍ଡ ମାଟିରେ ଭାରତ ୧୮ଟି ଟେଷ୍ଟ ମ୍ୟାଚ ଖେଳିଥିଲେ ବି ମାତ୍ର ୩ଟିରେ ବିଜୟୀ ହୋଇଛି। ୧୪ଟି ମ୍ୟାଚରେ ଇଂଲଣ୍ଡ ଜିତିଥିବା ବେଳେ ଗୋଟିଏ ମାତ୍ର ମ୍ୟାଚ୍ ଫଳାଫଳ ବାହାରି ନଥିଲା।

ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡ଼ିଆକୁ ଓହ୍ଲାଇବ। ଶୁଭମନ ଗିଲଙ୍କ ପରେ ଆହତ ହୋଇ ମୟଙ୍କ ଅଗ୍ରୱାଲ ପୂର୍ବରୁ ଟେଷ୍ଟ ଶୃଙ୍ଖଳାରୁ ବାହାରି ଯାଇଛନ୍ତି। ଫଳରେ ରୋହିତ ଶର୍ମାଙ୍କ ସହିତ କିଏ ଓପନିଂ କରିବେ, ସେନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି। କେଏଲ୍ ରାହୁଲ ଟିମ୍ ଇଣ୍ଡିଆ ସହିତ ଇଂଲଣ୍ଡରେ ଅଛନ୍ତି । ତେଣୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିଲେ ରାହୁଲ ଓପନିଂଗ କରିପାରନ୍ତି।

ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ଏବେ ଭାରତୀୟ ଟିମକୁ ଅଗଷ୍ଟ-ସେପଟେମ୍ବରରେ ୫ଟି ଟେଷ୍ଟ ଖେଳିବାକୁ ହେବ। ଅଗଷ୍ଟ ୪ରୁ ୮ ମଧ୍ୟରେ ନଟିଂହାମରେ ପ୍ରଥମ ଟେଷ୍ଟ, ୧୨ରୁ ୧୬ ଲଡର୍ସରେ ୨ୟ, ଲିଡ୍‌ସରେ ୨୫ରୁ ୨୯ ମଧ୍ୟରେ ୩ୟ, ସେପଟେମ୍ବର ୨ରୁ ୬ ଲଣ୍ଡନରେ ୪ର୍ଥ ଏବଂ ଶେଷ ମ୍ୟାଚ ମଂଚେଷ୍ଟରରେ ଖେଳାଯିବ।