ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ସମୟରେ ଚଳିତବର୍ଷ କିଭଳି ସ୍ୱାଧୀନତା ଦିବସ ପାଳନ କରାଯିବ ସେନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି କରାଯାଇଛି। ଏଥିପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯାଇଛି। ରାଷ୍ଟ୍ରୀୟସ୍ତରରେ ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଜାତୀୟସ୍ତରୀୟ ସ୍ୱାଧୀନତ ଦିବସ କାର୍ଯ୍ୟକ୍ରମରେ କାଣ୍ଟଛାଣ୍ଟ ହେବ। ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ, ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଙ୍ଗୀତ ଗାନ, ୨୧ ତୋପ ସଲାମୀ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।
ସେହିପରି ଦେଶର ବିଭିନ୍ନ ରାଜ୍ୟଗୁଡ଼ିକ ପକ୍ଷରୁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ।
ଜାତୀୟ ପତାକା ଉତ୍ତୋଳନ ସହ ମୁଖ୍ୟମନ୍ତ୍ରୀଙ୍କ ଭାଷଣ କାର୍ଯ୍ୟକ୍ରମରେ ଗହଳି ହେବନାହିଁ। ସମସ୍ତଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ଏବଂ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ଚଳିତବର୍ଷର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବକୁ କୋଭିଡ ଯୋଦ୍ଧା ଡାକ୍ତର, ନର୍ସ, ସଫେଇ କର୍ମଚାରୀଙ୍କୁ ଡକାଯିବ ବୋଲି ଗାଇଡଲାଇନରେ ସୂଚନା ଦିଆଯାଇଛି। ସେହିଭଳି ଜିଲ୍ଲା ଉପଖଣ୍ଡ, ପଞ୍ଚାୟତସ୍ତରରେ ମଧ୍ୟ କୋଭିଡ ଯୋଦ୍ଧାଙ୍କୁ ଡକାଯିବ। ଗହଳି ଏଡାଇବାକୁ ଟେକ୍ନୋଲୋଜି ବ୍ୟବହାର କରିବାକୁ ଗୃହମନ୍ତ୍ରଣାଳୟ ପରାମର୍ଶ ଦେଇଛି।